ପାଟନା: ବିହାରରେ ନୀତୀଶ-ତେଜସ୍ବୀଙ୍କ ନୂତନ ସରକାର ଗଠନ ହୋଇସାରିଥିବା ବେଳେ ଆସନ୍ତାକାଲି ବିଧାନସଭାରେ ସେମାନଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ। କିନ୍ତୁ ଏହାପୂର୍ବରୁ ସେଠାରେ ଏକ ନୂତନ ରାଜନୈତିକ ଡ୍ରାମା ଆରମ୍ଭ ହୋଇଛି। ସଂଖ୍ୟାଗରିଷ୍ଠତା ପ୍ରମାଣ ପୂର୍ବରୁ ବିଜୟ କୁମାର ସିହ୍ନା ବିହାରର ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ମହାଗଠବନ୍ଧନର ବିଧାୟକମାନେ ବିଜେପି ନେତା ତଥା ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହା ସତ୍ତ୍ବେ ମଧ୍ୟ ସେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି।
ବିଜୟ କୁମାର ସିହ୍ନା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିରୋଧୀ ଦଳ ସଂସଦର ନିୟମ ପ୍ରତି ଧ୍ୟାନ ଦେଇନାହାଁନ୍ତି। ମୋ ବିରୋଧରେ ପକ୍ଷପାତିତା ଏବଂ ଏକଛତ୍ରବାଦୀ ଶାସନ କରୁଥିବାର ଅଭିଯୋଗ କରାଯାଇଛି। ମୋ ବିରୋଧରେ କରାଯାଇଥିବା ଉଭୟ ଅଭିଯୋଗ ମିଛ। ଏଭଳି ପରିସ୍ଥିତିରେ ଇସ୍ତଫା ଦେବା ମୋର ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇବ।
ଉଲ୍ଲେଖଯୋଗ୍ୟ, ଯେତେବେଳେ ବିଜେପି-ଜେଡିୟୁ ସରକାର ବିହାରରେ ଥିଲା ସେତେବେଳେ ବିଜେପି ନେତା ବିଜୟ କୁମାର ସିହ୍ନାଙ୍କୁ ବିଧାନସଭା ବାଚସ୍ପତି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କ ଦଳ ଆରଜେଡି ସହିତ ସରକାର ଗଠନ କରିଛନ୍ତି। ଏହା ସହ ବିଜେପି କ୍ଷମତାରୁ ହଟିବା ସହ ନମ୍ବର ଗେମରେ ମଧ୍ୟ ବିଜେପି ପଛରେ ପଡିଛି। ଏଭଳି ସ୍ଥିତିରେ ଆସନ୍ତାକାଲି ବିହାର ବିଧାନସଭାରେ କ’ଣ ହାଇଡ୍ରାମ ହେବ, ତାହା ଦେଖିବାକୁ ବାକି ରହିଲା।