ମା’ଙ୍କ ଦେହାନ୍ତ ହେବ, ମୋତେ ଛୁଟି ଦିଅନ୍ତୁ; ବିହାର ଶିକ୍ଷା ବିଭାଗର ଛୁଟି ନିୟମକୁ ବିରୋଧ କରି ଏଭଳି ଆବେଦନ କଲେ ଶିକ୍ଷକ

ପାଟନା: ମା’ଙ୍କ ଦେହାନ୍ତ ହେବ, ମୋତେ ଛୁଟି ଦିଅନ୍ତୁ। ବିହାର ଶିକ୍ଷା ବିଭାଗର ସାମୟିକ ଛୁଟି ନିୟମକୁ ବିରୋଧ କରି ଏବେ ଏଭଳି ଆବେଦନ କରିଛନ୍ତି ଜଣେ ଶିକ୍ଷକ। ଯଦି ବିହାରର ଶିକ୍ଷକଙ୍କୁ ହଠାତ୍ କାହାର ଶବଦାହକୁ ଯିବା ପାଇଁ ପଡେ, ତେବେ ସେମାନେ ଯାଇପାରିବେ ନାହିଁ। ଶବଦାହ ପାଇଁ ଯିବାକୁ ହେଲେ ସେମାନଙ୍କୁ ତିନି ଦିନ ପୂର୍ବରୁ ସାମୟିକ ଛୁଟି ନେବାକୁ ପଡିବ। ଯଦି ବିହାରର ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ସେମାନଙ୍କୁ ଛୁଟି ମିଳିବ ନାହିଁ। ଏହାର କାରଣ ହେଉଛି ଆପଣ ଅସୁସ୍ଥ ହେବାକୁ ଯାଉଛନ୍ତି ବୋଲି ଆପଣଙ୍କୁ ତିନି ଦିନ ପୂର୍ବରୁ ବିଭାଗକୁ ଜଣାଇବାକୁ ପଡିବ। ଆମେ ଏହା କହୁ ନାହୁଁ, ବିହାର ଶିକ୍ଷା ବିଭାଗର ଏକ ଚିଠି ଏହା କହୁଛି। ଶିକ୍ଷା ବିଭାଗ ଦ୍ବାରା ଜାରି ଆଦେଶ ପରେ ବିହାରରେ ଶିକ୍ଷକମାନେ ଅଜବ କାରଣ ‌ଦେଇ ଛୁଟି ଆବେଦନ କରିବା ସହ ଏହାକୁ ବିରୋଧ କରିଛନ୍ତି।

କିଛି ଶିକ୍ଷକଙ୍କ ଛୁଟି ଆବେଦନ ପତ୍ର ଏବେ ଭାଇରାଲ ହୋଇଛି। ଗୋଟିଏ ଛୁଟି ଆବେଦନ ପତ୍ରରେ ଲେଖାଯାଇଛି ଯେ, “ମୋ ମା’ ୫.୧୨.୨୨ ରେ ମୃତ୍ୟୁବରଣ କରିବେ, ତେଣୁ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୬.୧୨.୨୨ରୁ ଛୁଟି ଦିଆଯାଉ।”

ଆଉ ଏକ ଛୁଟି ଆବେଦନ ପତ୍ରରେ ଲେଖାଯାଇଛି ଯେ, “ମୁଁ ୪.୧୨.୨୨ରୁ ୫.୧୨.୨୨ପର୍ଯ୍ୟନ୍ତ ଅସୁସ୍ଥ ରହିବି, ତେଣୁ ଦୟାକରି ମୋତେ ଛୁଟି ଦିଅନ୍ତୁ।” ବିହାରର ମୁଙ୍ଗେର, ଭାଗଲପୁର ଏବଂ ବାଙ୍କା ଜିଲ୍ଲ‌ାରେ ଥିବା ସରକାରୀ ସ୍କୁଲର ଶିକ୍ଷକମାନେ ଏଭଳି ଲେଖି ଛୁଟି ଆବେଦନ କରିଥିବା ଜଣାପଡ଼ିଛି। ଶିକ୍ଷ‌ା ବିଭାଗ ସାମୟିକ ଛୁଟି ନେବା ପାଇଁ କରିଥିବା ନିୟମକୁ ବିରୋଧ କରି ଏଭଳି କରୁଛନ୍ତି ଶିକ୍ଷକ। ଏହା ସହ ଶିକ୍ଷା ବିଭାଗକୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ କହିଛନ୍ତି।

ଅନ୍ୟପକ୍ଷରେ, ଜିଲ୍ଲା ଶିକ୍ଷା ଅଧିକାରୀ ମୁଙ୍ଗେର ସୁରେଶ ପ୍ରସାଦ ସିଂ କହିଛନ୍ତି ଯେ ନଭେମ୍ବର ୨୪ରେ ଜିଲ୍ଲା ମାଜିଷ୍ଟ୍ରେଟ ତଥା କମିଶନରଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ଶିକ୍ଷା ବିଭାଗ ସହିତ ଏହାର କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି ଯେ ଆମେ କେବଳ ଆଦେଶ ପାଳନ କରୁଛୁ।

 

ସମ୍ବନ୍ଧିତ ଖବର