ଫେଲ୍‌ ମାରିଲେ ରାଜନେତାରୁ ନେଇ ସରକାରୀ କର୍ମୀ, ରାସ୍ତାକୁ ଓହ୍ଲାଇ ଉଦାହରଣ ସାଜିଲେ ଗ୍ରାମର ମହିଳା

ପାଟନା: ଦୀର୍ଘ ବର୍ଷ ଧରି ସରକାର ବିଫଳ ହେବା ପରେ ଶେଷର ବିହାରର ଏକ ଛୋଟ ଗ୍ରାମର ମହିଳାମାନେ ମିଶି ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି। ସେମାନେ ରାସ୍ତା ନିର୍ମାଣ ପାଇଁ ଏବେ ଆଉ କାହା ଉପରେ ଭରସା ନ କରି ନିଜେ ଅଣ୍ଟା ଭିଡ଼ିଛନ୍ତି। ବିହାରର ବାଙ୍କା ଜିଲ୍ଲାରେ ଥିବା ଏକ ଛୋଟ ଗ୍ରାମର ମହିଳା ଗ୍ରାମବାସୀମାନେ ଏହି ମହତ୍‌କାର୍ଯ୍ୟ କରି ଏବେ ଉଦାହରଣ ପାଲଟିଛନ୍ତି। ଜାଣିବାକୁ ମିଳିଛି ଯେ ସଂପୃକ୍ତ ଅଞ୍ଚଳରେ ଉପଯୁକ୍ତ ରାସ୍ତା ନଥିବାରୁ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ରିପୋର୍ଟର ଜାଣିବାକୁ ମିଳିଛି ଯେ ଏହି ରାସ୍ତା ଖରାପ ହେତୁ ଜିଲ୍ଲାର ନିମା, ଜୋରାପୁର, ଦୂର୍ଗାପୁର ଆଦି ଗ୍ରାମର ବହୁ ସଂଖ୍ୟକ ଲୋକଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟି ସାରିଲାଣି। ବିଶେଷ କରି ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ଯିବା ବାଟରେ ହିଁ ଅଧିକାଂଶ ଲୋକଙ୍କର ଦେହାନ୍ତ ହୋଇଥାଏ। ମୁଖ୍ୟତଃ ବର୍ଷା ଦିନରେ ଏହି ସମସ୍ୟା ବେଶି ଦେଖା ଦେଇଥାଏ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ନାହିନଥିବା ଯନ୍ତ୍ରଣା ଭୋଗିବାକୁ ପଡୁଥିଲା।

ଗତ କେତେ ବର୍ଷ ହେବ ରାସ୍ତା ନିର୍ମାଣ ପାଇଁ ଅନେକ ରାଜନେତା ଅଣ୍ଟା ଭିଡ଼ିଥିଲେ ବି ଫଳାଫଳ ଏଯାବତ୍‌ ଶୂନ୍ୟ। ଏହି ସମସ୍ୟାର ସମାଧାନ ପାଇଁ କୌଣସି ରାଜନେତା କିମ୍ବା ସରକାର ଉପରେ ନିର୍ଭର ନକରି ପ୍ରାୟ ୧୫୦ ଜଣ ମହିଳା ରାସ୍ତାକୁ ଓହ୍ଲାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗର୍ବର କଥା ହେଉଛି ସେମାନେ ୩ ଦିନ ମଧ୍ୟରେ ୨ କିଲୋମିଟରର ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର