ପାଟ: ନିର୍ବାଚନ କମିସନଙ୍କ ବିବାଦୀୟ ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ଅଧୀନରେ ପ୍ରସ୍ତୁତ ହୋଇଥିବା ବିହାରର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଥିବା ବେଳେ ଭୋଟରଙ୍କୁ ସାମୂହିକ ବାଦ୍ ଦିଆଯିବା ଆଶଙ୍କାରେ ବିରୋଧୀଙ୍କ ତୀବ୍ର ବିରୋଧ ଦେଖିବାକୁ ମିଳିଛି। ପ୍ରକାଶ ପାଇବା ପୂର୍ବରୁ ଚିଠା ତାଲିକାକୁ ୩୮ ଜଣ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ ସହ ବାଣ୍ଟିଥିଲେ। ଜୁନ୍ ୨୪ ତାରିଖରେ ନିର୍ବାଚନ କମିସନ ବିହାରର ଭୋଟର ତାଲିକାରେ ବ୍ୟାପକ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେବା ପରେ ବ୍ୟାପକ ବିରୋଧ ସୃଷ୍ଟି ହୋଇଥିଲା। ରାଜ୍ୟରେ ଶେଷ ଥର ପାଇଁ ୨୦୦୩ ମସିହାରେ ଏଭଳି ସଂଶୋଧନ କରାଯାଇଥିଲା। ଏହାର ଶେଷ ଅପଡେଟ୍ ଅନୁଯାୟୀ, ନିର୍ବାଚନ ଆୟୋଗ କହିଛି ଯେ ବିହାରର ୭.୮୯ କୋଟି ଭୋଟରଙ୍କ ମଧ୍ୟରୁ ୭.୨୩ କୋଟି ଲୋକଙ୍କଠାରୁ ଗଣନା ଫର୍ମ ମିଳିଛି। ମତଦାତାଙ୍କ ମୃତ୍ୟୁ ହୋଇଥିବା କିମ୍ବା ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଥିବା କିମ୍ବା ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଥିବା କିମ୍ବା ଭୋଟରଙ୍କ ପତ୍ତା ମିଳୁ ନ ଥିବାରୁ ପ୍ରାୟ ୬୪ ଲକ୍ଷ ନାମ ତାଲିକାରୁ ହଟାଯାଇପାରେ।
ଆଗକୁ କ’ଣ ହେବ?
ପ୍ରଥମ ପର୍ଯ୍ୟାୟ ସରିବା ପରେ ଏବେ ଅଗଷ୍ଟ ପହିଲାରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଉପରେ ବିଚାର କରାଯିବ। ଏହି ସମୟ ମଧ୍ୟରେ ଭୋଟରଙ୍କୁ ନିଜର ଯୋଗ୍ୟତା ପ୍ରମାଣ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ପଡିବ। ଏହାପରେ ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରାଯିବ ଏବଂ ସେପ୍ଟେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଯେଉଁ ଭୋଟରମାନେ ଅନୁଭବ କରନ୍ତି ଯେ ସେମାନଙ୍କ ନାମ ଭୁଲ ଭାବରେ ତାଲିକାରୁ ବାଦ୍ ଦିଆଯାଇଛି ସେମାନେ ପ୍ରତିକାର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇପାରିବେ। ଯାଞ୍ଚ ପାଇଁ ୧୧ଟି ଦସ୍ତାବିଜ ତାଲିକାରେ ଆଧାର, ରାସନ କାର୍ଡ ଓ ଭୋଟର ପରିଚୟ ପତ୍ରକୁ ଅନ୍ତର୍ଭୁକ୍ତ ନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିଲା। ଏହି ମାମଲା ସୁପ୍ରିମ୍କୋର୍ଟରେ ମଧ୍ୟ ପହଞ୍ଚିଥିଲା। କୋର୍ଟ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖି ନ ଥିଲେ ମଧ୍ୟ ଆଧାରକୁ ଅନୁମତି ଦେବା ପାଇଁ ବିଚାର କରିବାକୁ ନିର୍ବାଚନ କମିସନଙ୍କୁ କହିଥିଲେ। ତେବେ ଭୋଟର ତାଲିକା ସଂଶୋଧନ ନାମରେ ଭୋଟରଙ୍କୁ ସାମୂହିକ ଭାବେ ବାଦ୍ ଦେଲେ ପଦକ୍ଷେପ ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
ସଂସଦ ଓ ବିହାର ବିଧାନସଭାରେ ବିକ୍ଷୋଭ
ଏହି ପ୍ରସଙ୍ଗରେ ସଂସଦଠାରୁ ଆରମ୍ଭ କରି ବିହାର ବିଧାନସଭା ପର୍ଯ୍ୟନ୍ତ ବିରୋଧୀଙ୍କ ପକ୍ଷରୁ ବ୍ୟାପକ ପ୍ରତିବାଦ ଦେଖିବାକୁ ମିଳିଛି। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ସମସ୍ୟାର ସମାଧାନ କରା ନ ଯାଏ ତେବେ ତାଙ୍କ ଦଳ ଆଗାମୀ ନିର୍ବାଚନକୁ ବର୍ଜନ କରିବ। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳ ଏହାକୁ ବିରୋଧ କରି କ୍ରମାଗତ ନବମ ଦିନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ‘ଷ୍ଟପ୍ ଏସ୍ଆଇଆର୍’, ‘ଏସ୍ଆଇଆର୍ - ଲୋକତନ୍ତ୍ର ପେ ୱାର’, ‘ଭୋଟ୍ ଚୋରି’ ଲେଖାଥିବା ପ୍ଲାକାର୍ଡ ଧରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ସାଂସଦ ବିକ୍ଷୋଭରେ ଅଂଶଗ୍ରହଣ କରି ସ୍ଲୋଗାନ ଦେଇଥିଲେ।