ମୋର କିଡ୍‌ନି ଦୁଇଟି ଚୋରି କରିଥିବା ଡାକ୍ତରଙ୍କ କିଡ୍‌ନି ଆଣି ମୋ ଦେହରେ ଲଗାଯାଉ: ବିହାରୀ ମହିଳା

ପାଟନା: ମୋର ୨ଟିଯାକ କିଡ୍‌ନି ‌ଚୋରି କରିଥିବା ଡାକ୍ତରଙ୍କ କିଡ୍‌ନି ଆଣି ମୋ ଦେହରେ ପ୍ରତିରୋପଣ କରାଯାଉ ବ‌ୋଲି ବିହାରର ମୁଜାଫରପୁର୍‌ର ସୁନୀତା ଦେବୀ ନାମ୍ନୀ ଜଣେ ମହିଳା କହିଛନ୍ତି।

ସଂଗୃହୀତ ତଥ୍ୟ ଅନୁସାରେ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଏକ ସ୍ଥାନୀୟ ଘରୋଇ ନର୍ସିଂହୋମ୍‌ରେ କୌଶଳ କରି ତାଙ୍କର ଦୁଇଟିଯାକ କିଡ୍‌ନି ବାହାର କରି ନିଆଯାଇଥିବା କଥା ସେ ଅଭିଯୋଗ କରିଛନ୍ତି। ଜରାୟୁ ସଂକ୍ରମଣ ଚିକିତ୍ସା କରିବା ଲାଗି ସୁନୀତା ମୁଜାଫରପୁର ନଗରୀର ବାରିୟାର୍‌ପୁର ଅଞ୍ଚଳର ଏକ ଘରୋଇ କ୍ଲିନିକ୍‌କୁ ଯାଇଥିଲେ। ସେଠାରେ ଜଣେ ଡାକ୍ତର ତାଙ୍କର କିଡ୍‌ନି ଦୁଇଟି କାଢ଼ି ନେଇଥିବା କଥା ସେ ଅଭିଯୋଗ କରିଛନ୍ତି। ସେପ୍ଟେମ୍ବର ୩ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

Image Courtesy of Times of India

ସମ୍ପ୍ରତି ୩୮ ବର୍ଷୀୟ ସୁନୀତା ମୁଜାଫରପୁରସ୍ଥିତ ରାଷ୍ଟ୍ରାୟତ ‘ଶ୍ରୀକୃଷ୍ଣ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ’ରେ (ଏସ୍‌କେଏମ୍‌ସିଏଚ୍‌) ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ବଞ୍ଚାଇ ରଖିବା ପାଇଁ ନିୟମିତ ‘ଡାଏଲିସିସ୍‌’ କରାଯାଉଛି। ଅସ୍ତ୍ରୋପଚାର ପରେ ପେଟବିନ୍ଧା ଲାଗି ରହିବା ସହିତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ‘ଏସ୍‌କେଏମ୍‌ସିଏଚ୍‌’ରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡ୍‌ନି ଦୁଇଟି ନାହିଁ ବୋଲି ଚିକିତ୍ସା କରୁଥିବା ସେଠାକାର ଡାକ୍ତରମାନେ କହିଥିଲେ।

ସାମ୍ବାଦିକମାନଙ୍କୁ ସୁନୀତା କହିଛନ୍ତି, ମୋର ଦୁଇଟିଯାକ କିଡ୍‌ନି କାଢ଼ି ନେଇଥିବା ଅଭିଯୁକ୍ତ ଡାକ୍ତରଙ୍କୁ ତୁରନ୍ତ ଗିରଫ କରିବା ଲାଗି ମୁଁ ସରକାରଙ୍କୁ ନିବେଦନ କରୁଛି। ପ୍ରତିରୋପଣ ନିମନ୍ତେ ତାଙ୍କର କିଡ୍‌ନି ମତେ ଦିଆଗଲେ ମୁଁ ବଞ୍ଚିଯିବି। ଏଭଳି ହେଲେ ଅର୍ଥ ପାଇଁ ଗରିବମାନଙ୍କ ଜୀବନ ସହିତ ଖେଳୁଥିବା ଲୋଭୀ ଡାକ୍ତରମାନେ ଚେତି ପାରନ୍ତେ।

ସୁନୀତାଙ୍କର ୩ଜଣ ନାବାଳକ ସନ୍ତାନ ଅଛନ୍ତି। ସେମାନଙ୍କ ତତ୍ତ୍ବାବଧାନ ନିମନ୍ତେ ସେ ବଞ୍ଚି ରହିବାକୁ ଚାହୁଁଛନ୍ତି।

ସେପ୍ଟେମ୍ବର ମାସରେ ଘଟଣା ଲୋକଲୋଚନକୁ ଆସିବା ପରଠାରୁ ଅଭିଯୁକ୍ତ ଡାକ୍ତର ଆର୍‌. କେ. ସିଂହ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ପୁଲିସ ମଧ୍ୟ ତାଙ୍କ ଟେର୍‌ ପାଉନାହିଁ।

ସମ୍ବନ୍ଧିତ ଖବର