ବିଜେପି ସାଂସଦଙ୍କୁ ବିହାରୀ ଗୁଣ୍ଡା କହିଲେ ମହୁଆ ମଇତ୍ର

ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ: ସୁଶୀଲ ମୋଦୀ

ନୂଆଦିଲ୍ଲୀ : ଆଇଟି ମନ୍ତ୍ରାଳୟର ସଂସଦୀୟ ସମିତି ବୈଠକ ପରିପ୍ରେକ୍ଷୀରେ ଟିଏମ୍‌ସି ସାଂସଦ ମହୁଆ ମଇତ୍ର ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଏହି ମାମଲାରେ କଂଗ୍ରେସ ମହୁଆଙ୍କ ସପକ୍ଷରେ ଥିବାବେଳେ ବିଜେପି ନେତା ମହୁଆଙ୍କ ଟିପ୍ପଣୀ ବିହାରର ‌ଜନସାଧାରଣଙ୍କୁ ଅପମାନିତ କରିଛି ବୋଲି କହୁଛନ୍ତି।

ବୁଧବାର ସଂସଦ ଭବନ ପରିସରରେ ଆଇଟି ମନ୍ତ୍ରଣାଳୟର ସଂସଦୀୟ ସମିତି ବୈଠକ ହେବାର ଥିଲା। ବୈଠକରେ ଅଧ୍ୟକ୍ଷ ଶଶି ଥରୁର ଉପସ୍ଥିତ ଥିଲେ ହେଁ ତାଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ନାହିଁ ବୋଲି ବିଜେପି ସାଂସଦମାନେ ଅଡ଼ି ବସିଥିଲେ। ଉପସ୍ଥାନ ଖାତାରେ ଦସ୍ତଖତ ନକରି ସେମାନେ ବୈଠକ ବର୍ଜନ କରିଥିଲେ। କୋରମ୍‌ ଅଭାବରୁ ବୈଠକ ହୋଇପାରିଲା ନାହିଁ। ହେଲେ ବିବାଦ ଏହିଠାରେ ସରିଲା ନାହିଁ। ବୈଠକରେ ଯୋଗ ଦେବା ପାଇଁ ପହଞ୍ଚିଥିବା ଟିଏମ୍‌ସି ସାଂସଦ ମହୁଆ ମଇତ୍ର ଏବଂ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ ଘନେଇଥିଲା। ନିଶିକାନ୍ତ ଅଭିଯୋଗ କରିଛନ୍ତି, ମହୁଆ ମୋତେ ‘ବିହାରୀ ଗୁଣ୍ଡା’ କହିଲେ। ଏହି ଅଭିଯୋଗକୁ ଅସ୍ବୀକାର କହି ମହୁଆ କହିଛନ୍ତି, ରେକର୍ଡ ଅନୁସାରେ ନିଶିକାନ୍ତ ସେଠାରେ ଉପସ୍ଥିତ ନଥିଲେ। ସେ ତାଙ୍କୁ ନେଇ ଏଭଳି ଶବ୍ଦ ବ୍ୟବହାର କେମିତି କରି‌ବେ। ନିଶିକାନ୍ତ-ମହୁଆଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ବିଜେପି ସାଂସଦ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର