ନୂଆଦିଲ୍ଲୀ : ବିହାର ଦେଶରେ ସବୁଠୁ ପଛୁଆ ରାଜ୍ୟ। କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ସରକାରଙ୍କ ଏହି ରିପୋର୍ଟକୁ ନେଇ ରାଜ୍ୟରେ ଏକ ନୂଆ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ବିଜେପି ନୀତୀଶଙ୍କ ନେତୃତ୍ବାଧୀନ ବିହାର ସରକାରରେ ଏକ ଅଂଶୀଦାର ଅଛି। କିନ୍ତୁ ବିହାର ସମଗ୍ର ଦେଶରେ ପଛୁଆ ରାଜ୍ୟରେ ପରିଗଣିତ ହୋଇଛି। ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ନୀତୀଶଙ୍କୁ କଟାକ୍ଷ କରିବା ଆରମ୍ଭ କରିଦେଇଛନ୍ତି।

Advertisment

ଲୋକସଭାରେ ଜଣେ ଜେଡିୟୁ ସାଂସଦ ରାଜୀବ ରଂଜନ ସିଂହଙ୍କ ପ୍ରଶ୍ନର ଉତ୍ତର ରଖି ସରକାର ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ସେଥିରୁ ଜଣାପଡ଼ିଛି ଯେ, ବିହାର ଦେଶରେ ସବୁଠୁ ପଛୁଆ ରାଜ୍ୟ। ନିତି ଆୟୋଗର ବିକାଶ ଲକ୍ଷ୍ୟ ରିପୋର୍ଟ ୨୦୨୦-୨୧ରେ ବିହାର ଦେଶରେ ସବୁଠୁ ପଛୁଆ ରାଜ୍ୟ ବିବେଚିତ ହୋଇଛି କି ବୋଲି ଜେଡିୟୁ ସାଂସଦ ସିଂହ ସଂସଦରେ ପ୍ରଶ୍ନ କରିଥିଲେ। ଯଦି ଏହା ସତ ତେବେ ଏହା ପଛର କାରଣ କ’ଣ ବୋଲି ସେ ପଚାରିଥିଲେ ଏବଂ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାପାଇଁ ସରକାର ବିଚାର କରୁଛନ୍ତି କି ନା’ ସେନେଇ ସେ ପ୍ରଶ୍ନ କରିଥି‌ଲେ।

ତେବେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଇନ୍ଦ୍ରଜିତ ସିଂହ କହିଥିଲେ, ନିତି ଆୟୋଗ ରିପୋର୍ଟ ଅନୁଯାୟୀ ବିହାର ଦେଶରେ ସବୁଠ ପଛୁଆ ରାଜ୍ୟ। ବିହାରରେ ୩୩.୭୪ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି ଏବଂ ୫୨.୫ ପ୍ରତିଶତ ବିଭିନ୍ନ କାରଣରୁ ଦାରିଦ୍ର୍ୟର ସାମ୍ନା କରୁଛନ୍ତି। କେବଳ ୧୨.୩ ପ୍ରତିଶତ ପରିବାରର ସ୍ବାସ୍ଥ୍ୟ ବୀମା ରହିଛି। ବିହାରରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବହୁତ କମ୍‌ ଥିବା ସେ କହିଛନ୍ତି। ୧୦୦ରେ ମାତ୍ର ୩୦.୯୯ ପ୍ରତିଶତ ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ତେବେ ଆର୍‌ଜେଡି ଏହି ପ୍ରସଙ୍ଗରେ ନୀତୀଶଙ୍କୁ ଘେରିଛି। ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଆଜି ବିହାର ବିଧାନସଭାରେ ଏହି ପ୍ରସଙ୍ଗରେ ଏକ ଟିପ୍ପଣୀ ରଖି କହିଛନ୍ତି, ଡବଲ୍‌ ଇଂଜିନ ସରକାର ସତ୍ତ୍ବେ ବିହାର ଏତେ ପଛରେ କାହିଁକି।