ଭୁବନେଶ୍ବର/ନୂଆଦିଲ୍ଲୀ : ଫେବ୍ରୁଆରି ୧୦ ତାରିଖରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ବଡ଼ ଦାୟିତ୍ବ ଦେଇଛି। ତାଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଆଜି ଏ ସଂପର୍କରେ ସୂଚନା ଦିଆଯାଇଛି।
ଶ୍ରୀ ପଟ୍ଟନାୟକ ୨ମାସ ତଳେ କଂଗ୍ରେସରେ ଯୋଗ ଦେବା ପରେ ଦଳ ତାଙ୍କୁ ବଡ଼ ଦାୟିତ୍ବ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ସେ ବ୍ୟକ୍ତିଗତ ଭାବେ କଂଗ୍ରେସ ଦଳର ଏକାଧିକ ବରିଷ୍ଠ ନେତାଙ୍କୁ ଭେଟିବା ସହିତ ଦଳର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। କଂଗ୍ରେସରେ ଯୋଗ ଦେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କ୍ରମାଗତ ଭାବେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଘୋଷଣା କରି ନିର୍ବାଚନ ପାଗ ଭିଡ଼ିବା ଆରମ୍ଭ କରିଛି।
ଅପରପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ୨୬ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଛି। ଏହି କମିଟିରେ ଦଳର ରାଜ୍ୟ ପ୍ରଭାରୀ ଏ.ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା, ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜୟ ପଟ୍ଟନାୟକ, ସୁଶିଳା ତିରିଆ, କିଶୋର ଚନ୍ଦ୍ର ପଟେଲ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଯଜ୍ଞେଶ୍ବର ବାବୁ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ବାଳ, ପଞ୍ଚାନନ କାନୁନ୍ଗୋ, ବିଶ୍ବରଂଜନ ମହାନ୍ତି, ସସ୍ମିତା ବେହେରା, ଜିଆ ଉଲ ହକ୍, ଶରତ ପ୍ରଧାନ, ଅମିୟ ପଟ୍ଟନାୟକ ଓ ବିସ୍ମୟ ମହାପାତ୍ର ସ୍ଥାନ ପାଇଛନ୍ତି। ଏହାବାଦ୍ ଛାତ୍ର, ଯୁବ, ସେବା ଦଳ, ମହିଳା କଂଗ୍ରେସର ସଭାପତି ଓ ସମସ୍ତ ଏଆଇସିସି ସଂପାଦକ(ଓଡ଼ିଶା)ଙ୍କୁ ନିମନ୍ତ୍ରିତ ଅତିଥିଭାବେ କମିଟିରେ ସ୍ଥାନ ମିଳିଛି। ନୂଆ ପିସିସି ସଭାପତି ନିଯୁକ୍ତି ହେବାର ୧୦ ମାସ ପରେ ଏଆଇସିସି ପକ୍ଷରୁ ଯେଉଁ ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଛି ସେଥିରେ ଦଳର ସମସ୍ତ ବର୍ଗକୁ ସାମିଲ କରାଯିବାର ପ୍ରୟାସ କରାଯାଇଛି। କମିଟିରେ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସମେତ ପୂର୍ବତନ ସଭାପତିଙ୍କ ସମେତ ବରିଷ୍ଠ ନେତା, ଯୁବ, ଓବିସି, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସ୍ଥାନ ମିଳିଛି। ହେଲେ କମିଟିରେ ଦୁଇ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ଚନ୍ଦ୍ର ରାଉତରାୟଙ୍କୁ ସ୍ଥାନ ମିଳିନାହିଁ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ପିସିସିର ଅନ୍ୟ କମିଟିଗୁଡ଼ିକୁ ଶୀଘ୍ର ଘୋଷଣା କରାଯିବ। ଏଆଇସିସି ଦ୍ବାରା ରାଜନୈତିକ ବ୍ୟାପର କମିଟି ଘୋଷଣା କରାଯିବା ପରେ ଆଗାମୀ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ମାରାଥନ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।