ନୂଆଦିଲ୍ଲୀ : ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍)-୨୦୨୨ରେ ଦେଶରେ ଶ୍ରେଷ୍ଠ କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ୍ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୭ ରୁ ମିରାଣ୍ଡା ହାଉସ୍ କଲେଜ ଏନ୍ଆଇଆର୍ଏଫ୍ ରୢାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଆସୁଛି। କଲେଜର ଏହି ସଫଳତା ପଛରେ ଏହାର ଅଧ୍ୟକ୍ଷା ତଥା ଓଡ଼ିଆ ଝିଅ ପ୍ରଫେସର ବିଜୟଲକ୍ଷ୍ମୀ ନନ୍ଦଙ୍କ ବିଶେଷ ଅବଦାନ ରହିଛି।
ଏନ୍ଆର୍ଆଇଏଫ୍ର ବିଭିନ୍ନ ମାପଦଣ୍ଡଗୁଡ଼ିକରେ ଉତ୍ତମ ପ୍ରଦର୍ଶନ ତଥା ସଫଳତା ହାସଲ କରିବା ପାଇଁ କଲେଜର ଶିକ୍ଷକ, ଅଣଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଛି। କଲେଜର ଶିକ୍ଷା ତଥା ଗବେଷଣା ମାନକୁ ସର୍ବଦା ଶୀର୍ଷ ସ୍ତରରେ ପହଞ୍ଚାଇବାକୁ ସେ ପ୍ରାଥମିକତା ଦେଇ ଆସିଛନ୍ତି। ସେ କଲେଜ ଭିତ୍ତିଭୂମିକୁ ସୂଦୃଢ଼ କରିବା ସହ ଏହାର ବିଜ୍ଞାନ ବିଭାଗରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରୁଛନ୍ତି। କରୋନା ସମୟରେ ଶିକ୍ଷା ଦାନ ବ୍ୟବସ୍ଥାକୁ ଜାରି ରଖିବାକୁ ସେ ପ୍ରୟାସ କରିଥିଲେ। ଏନ୍ଆଇଆର୍ଏଫ୍ ରୢାଙ୍କିଙ୍ଗରେ କଲେଜ ଲଗାତାର ଶୀର୍ଷ ସ୍ଥାନ ହାସଲ କରିବା ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ବାସକୁ ଦ୍ବିଗୁଣିତ କରିବା ସହିତ ପ୍ରେରିତ ମଧ୍ୟ କରୁଛି ବୋଲି ସେ କହିଛନ୍ତି। ବିଜୟଲକ୍ଷ୍ମୀ ୧୯୯୩ରେ ମିରଣ୍ଡା ହାଉସ କଲେଜରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଭାବେ ଯୋଗ ଦେଇଥିଲେ। କଲେଜର ଏହି ସଫଳତା ପାଇଁ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/bijayalaxmi.jpg)