ଦ୍ବିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟନ

ତିରୁବନନ୍ତପୁରମ୍‌: ସିପିଏମ୍‌ର ବରିଷ୍ଠ ନେତା ପିନରାୟୀ ବିଜୟନ ଆଜି ଦ୍ବିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜପାଳ ଆରିଫ୍‌ ମହମ୍ମଦ ଖାନ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। କୋଭିଡ୍‌ ୧୯ ପ୍ରୋଟକଲ ଭିତରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହରେ ୨୦ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ଶପଥ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି ବିଜୟନ ଏବଂ ତାଙ୍କ ନୂଆ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ନୂଆ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ କୌଣସି ପୁରୁଣା ମୁହଁ ନାହାନ୍ତି। ପୂର୍ବ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା କେକେ ସୈଲଜାଙ୍କୁ ମଧ୍ୟ ଏଥର କ୍ୟାବିନେଟ୍‌ରେ ସାମିଲ କରାଯାଇନାହିଁ। ରାଜ୍ୟରେ କୋଭିଡ୍‌ ନିୟନ୍ତ୍ରଣରେ ସୈଲଜାଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲେ ମଧ୍ୟ ତାଙ୍କୁ କ୍ୟାବିନେଟ୍‌ରେ ନିଆଯାଇନଥିବାରୁ ବିଭିନ୍ନ ମହଲ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କ ଜାମାତା ମହମ୍ମଦ ରିୟାଜଙ୍କୁ ମନ୍ତ୍ରୀ କରିଥବାରୁ ସେ ପରିବାରବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର