ବିଜେପୁର ଉପନିର୍ବାଚନ: ଆଦର୍ଶ ଆଚରଣ ବିଧି ଲାଗୁ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରିୟ ନିର୍ବାଚନ ଆୟୋଗର ପତ୍ର

ନୂଆଦିଲ୍ଲୀ: ବିଜେପୁର ଉପନିର୍ବାଚନ ପାଇଁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ଲାଗୁ କରିବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତୀୟ ନିର୍ବାଚନ ଆୟୋଗର ପ୍ରମୁଖ ସଚିବ ନରେନ୍ଦ୍ର ଏନ୍‌ ବୁତଲିୟାଙ୍କ ଦ୍ୱାରା ପତ୍ର ଲେଖାଯାଇଛି। ଉପନିର୍ବାଚନ ହେବାକୁ ଥିବା ଅଞ୍ଚଳକୁ କୌଣସି କେନ୍ଦ୍ର କିମ୍ବା ରାଜ୍ୟ ମନ୍ତ୍ରୀ ସରକାରୀ କାର୍ଯ୍ୟରେ ଯାଇପାରିବେନି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି। କମିସନ୍‌ଙ୍କ ପକ୍ଷରୁ ଆଜ୍‌ମେର ଲୋକସଭା ଆସନରେ ଅନୁଷ୍ଠିତ ହେବା ଉପନିର୍ବାଚନ ସ୍ପଷ୍ଟିକରଣ ସମ୍ପର୍କରେ ପତ୍ରରେ ଉଲ୍ଲେଖ କରାଯାଇଛି। ନିର୍ବାଚନ ଆଚରଣ ବିଧି କେବଳ ନିର୍ବାଚନ ହେଉଥିବା ସେଗ୍‌ମେଣ୍ଟ୍‌ରେ ହିଁ ଲାଗୁ ହୋଇପାରିବ ବୋଲି ସ୍ପଷ୍ଟ କରାଯାଇଛି। କେନ୍ଦ୍ର କିମ୍ବା ରାଜ୍ୟମନ୍ତ୍ରୀ ଦଳିୟ କାର୍ଯ୍ୟରେ ଯୋଗ ଦେଇପାରିବେ। ଯଦି ବିଜେପୁର ପାଖ ଅଞ୍ଚଳକୁ କୌଣସି ମନ୍ତ୍ରୀ ସରକାରୀ କାର୍ଯ୍ୟରେ ଯାଉଥାନ୍ତି ତେବେ ସେମାନେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଦେଇ ଯାଇପାରିବେ ନାହିଁ। ମନ୍ତ୍ରୀ ଯଦି ସମ୍ବଲପୁର ସରକାରୀ କାର୍ଯ୍ୟକ୍ରମରେ ଯାଇ ଗୋଟିଏ ଦିନପରେ ବିଜେପୁରକୁ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଆନ୍ତି ତାହାଲେ ଗସ୍ତର ସମସ୍ତ ଖର୍ଚ୍ଚ ଦଳିୟ ନିର୍ବାଚନ ଖର୍ଚ୍ଚ ରୂପେ ଜଣାଯିବ। ବିଜେପୁର ଉପନିର୍ବାଚନ ସମୟରେ ସରକାରି ଅଧିକାରିଙ୍କ ବଦଳି ଓ ଦାୟିତ୍ୱ ନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରିୟ ନିର୍ବାଚନ ଆୟୋଗଙ୍କ ମତାମତ ନେବାକୁ ପଡ଼ିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର ଉପନିର୍ବାଚନ ସମୟରେ ଡିଏ ଘୋଷଣା କରିପାରିବେ କିନ୍ତୁ ଏହାକୁ ସରକାରଙ୍କ ଉପଲବ୍ଧି ବୋଲି ପ୍ରକାଶିତ କରିବେ ନାହିଁ ବୋଲି ପତ୍ରରେ ଉଲ୍ଲେଖ ଅଛି। ଉପନିର୍ବାଚନ ହେଉଥିବା ଅଞ୍ଚଳରେ କୌଣସି ପ୍ରକାର ନୂଆ ଯୋଜନାର ବିଜ୍ଞାପନ ଜାରି କରାଯାଇ ପାରିବ ନାହିଁ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପତ୍ରରେ ସ୍ପଷ୍ଠ କରାଯାଇଛି।

ସମ୍ବନ୍ଧିତ ଖବର