‘ଭୂମିପୁତ୍ର’ଙ୍କୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ, ଦିଲ୍ଲୀଠାରେ ବିଜୁବାବୁଙ୍କ ଉପରେ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ

ରାଜନୀତିରେ ଯୋଗଦାନ ପ୍ରସଙ୍ଗକୁ ଏଡ଼ାଇଲେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅରୁଣ

ନୂଆଦିଲ୍ଲୀ : ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କର ଭୂମିକାକୁ ସମ୍ମାନ ଜଣାଇ ଆଜି ନୂଆଦିଲ୍ଲୀସ୍ଥିତ ତିନି ମୂର୍ତ୍ତି ହାଉସ୍‌ର ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରି (ଏନଏମଏମଏଲ)ରେ ଏକ ଫଟୋ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରି ଏହାକୁ ଉଦ୍‌ଘାଟନ କରିଛନ୍ତି।

ଭାରତ- ଇଣ୍ଡୋନେସିଆର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଅବସରରେ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ଏହି ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ସମ୍ପର୍କିତ ବିରଳ ଫଟୋଚିତ୍ର ପ୍ରଦର୍ଶିତ କରାଯାଇଛି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରି ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ବିଜୁବାବୁଙ୍କ ବୀରତ୍ବର ସ୍ମୃତିଚାରଣ କରିଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ୧୯୪୭ ମସିହା ଏପ୍ରିଲ ମାସରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଏକପ୍ରକାର ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଏଥିରେ ବିଜୁବାବୁଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା। ବିଜୁବାବୁଙ୍କ ପଦକ୍ଷେପଠାରୁ ହିଁ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଭାବଗତ ସମ୍ପର୍କ ପ୍ରତିଷ୍ଠା ହୋଇପାରିଥିଲା।

ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଜଦୂତ ସିଦ୍ଧାର୍ଥ ରେଜା ସୂର୍ଯ୍ୟ ଦିପୁର ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଭାରତ-ଇଣ୍ଡୋନେସିଆର ୭୦ ବର୍ଷର କୂଟନୀତିକ ସମ୍ପର୍କରେ ବିଜୁ ପଟ୍ଟନାୟକ ଏକ ସ୍ବତନ୍ତ୍ର ସ୍ଥାନ ବହନ କରୁଛନ୍ତି ବୋଲି ସେ କହିଥିଲେ।

ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ଜ୍ୟେଷ୍ଠ ପୁତ୍ର ପ୍ରେମ ପଟ୍ଟନାୟକ ଯୋଗ ଦେଇ ତାଙ୍କ ପିତାଙ୍କର ବୀରତ୍ବର କାହାଣୀରେ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ‘ସମ୍ବାଦ’କୁ କହିଥିଲେ। ସେ ପୁଣି କହିଥିଲେ, ପୂର୍ବରୁ ତାଙ୍କ ପିତାଙ୍କର କିଛି ଫଟୋ ଦେଖିଥିଲେ। ହେଲେ ଆଜିର ପ୍ରଦର୍ଶନୀରେ ଅନେକ ବିରଳ ଫଟୋ ଚିତ୍ର ଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି, ଯେଉଁଥିରୁ ତାଙ୍କର ଅନେକ ଉପଲବ୍ଧି ସମ୍ପର୍କରେ ଜଣାପଡୁଛି। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ, ସେ ଏଭଳି ଏକ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ଥିଲେ, ଯାହାଙ୍କର ମୃତ ଶରୀର ଉପରେ ତିନୋଟି ଦେଶ- ଭାରତ, ଇଣ୍ଡୋନେସିଆ ଓ ରୁଷିଅ‌ାର ଜାତୀୟ ପତାକା ଘୋଡ଼ାଇ ସମ୍ମାନ ଦିଆଯାଇଥିଲା, ଏହି ସମ୍ମାନ ବିଶ୍ବରେ ବିରଳ ଥିଲା ବୋଲି ସେ କହିଥିଲେ। ବିଜୁ ବାବୁଙ୍କୁ ଇଣ୍ଡୋନେସିଆର ସବୁଠାରୁ ବଡ଼ ସମ୍ମାନ ‘ଭୂମି ପୁତ୍ର’ ପ୍ରଦାନ କରାଯାଇଛି। ‘ଭାରତ ରତ୍ନ’ ସମ୍ମାନ ଦିଆଯିବା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି ସେ କହିଥିଲେ। ବିଜେଡି ସାଂସଦ ପିନାକୀ ମିଶ୍ର ଫଟୋ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବା ପାଇଁ ପୁରୁଣା ଦାବିକୁ ଦୋହରାଇଥିଲେ।

ବିଜୁବାବୁଙ୍କ ବୋହୂ ତଥା ପ୍ରେମ ପଟ୍ଟନାୟକଙ୍କର ପତ୍ନୀ ଖ୍ରିଷ୍ଟିନା ପଟ୍ଟନାୟକ, ନାତି ଅରୁଣ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ‌ନୀତିରେ ପ୍ରବେଶ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଅରୁଣ ଏହାକୁ ଏଡ଼ାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଇଣ୍ଡୋନେସିଆ ଦୂତାବାସ ଦ୍ବାରା ଆୟୋଜିତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ପ୍ରଦର୍ଶନୀରେ ସମୁଦାୟ ୧୫ଟି ବିରଳ ଫଟୋ ସ୍ଥାନ ପାଇଛି। ଏହି ପ୍ରଦର୍ଶନୀ ଚଳିତ ମାସ ୨୯ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର