ବାଇକ୍‌ ପ୍ରେମୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡ଼େଙ୍କ ହାଇ-ଏଣ୍ଡ ବାଇକ୍‌ ଚଢ଼ାକୁ ନେଇ ଅଯଥା ବିବାଦ; ବାଇକ୍‌ଟି ବିଜେପି ନେତାଙ୍କ ପୁଅର ବୋଲି ଜାଣି ନଥିଲେ ସେ

ନାଗପୁର/ ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ଆଜି ତାଙ୍କ ଜନ୍ମ ନଗରୀ ମହାରାଷ୍ଟ୍ରର ନାଗପୁରରେ ଏକ ହାର୍ଲି ଡେଭିଡ୍‌ସନ୍‌ କ୍ରୁଜର ମୋଟର ସାଇକେଲ୍‌ ଉପରେ ସବାର ହୋଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୁପ୍ରିମ୍‌ କୋର୍ଟ ଏବେ ବନ୍ଦ ଥିବା କାରଣରୁ ନିଜ ଜନ୍ମନଗରୀ ନାଗପୁରରେ ଅବସର କଟାଉଥିବା ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବ୍‌ଡେ ଏକ ଟି-ସାର୍ଟ ଏବଂ ସ୍ନିକର୍‌ ପିନ୍ଧି ହାର୍ଲି ଡେଭିଡ୍‌ସନ କ୍ରୁଜର ବାଇକ୍‌ର ସୀମିତ ସଂସ୍କରଣ ‘ସିଭିଓ ୨୦୨୦’ ବାଇକ୍‌ ଉପରେ ସବାର ହୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା। ଆଜି ସକାଳୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବ୍‌ଡେଙ୍କ ଏହି ଫଟୋ ଭାଇରାଲ ହୋଇ ପଡ଼ିଥିବା ବେଳେ ଅପରାହ୍ନରେ ଏହାକୁ କେନ୍ଦ୍ର କରି ଏକ ବିବାବର ସୂତ୍ରପାତ ହୋଇଥିଲା।

ହାର୍ଲି ଡେଭିଡ୍‌ସନ କ୍ରୁଜର ବାଇକ୍‌ର ସୀମିତ ସଂସ୍କରଣ ‘ସିଭିଓ ୨୦୨୦’ ଯାହା ଉପରେ ଜଷ୍ଟିସ୍‌ ବୋବ୍‌ଡେ ସବାର ହୋଇଥିବା ନଜର ଆସିଥିଲେ, ତାହା ତାଙ୍କର ନଥିଲା ବରଂ ଏହି ହାଇ-ଏଣ୍ଡ ବାଇକ୍‌ଟି ନାଗପୁରର ବିଜେପି ନେତା ସୋନବା ମୁସାଲେଙ୍କ ପୁଅଙ୍କର ଥିଲା। ତେଣୁ, ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇ ଯାଇଥିଲା ବିବାଦ ଓ ବିତର୍କ।

ଏହି ବିବାଦ ପରେ ଏବେ ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ ଏହି ହାଇ-ଏଣ୍ଡ ବାଇକ୍‌ଟି ବିଜେପି ନେତାଙ୍କ ପୁଅର ବୋଲି ସିଜେଆଇ ଜଷ୍ଟିସ୍‌ ବୋବଡେ ଜାଣି ନଥିଲେ। ସହରର ଜଣେ ମୋଟର ସାଇକେଲ ଡିଲର ତାଙ୍କୁ ବାଇକ୍‌ଟିକୁ ଦେଖିଇବା ଉଦ୍ଦେଶ୍ୟରେ ସେଇଟିକୁ ତାଙ୍କ ନିକଟକୁ ଆଣିଥିଲେ। କାରଣ, ପୂର୍ବରୁ ଜଷ୍ଟିସ୍‌ ବୋବଡେ ସଂପୃକ୍ତ ଡିଲରଙ୍କୁ କହିଥିଲେ ଯେ ସେ ଅବସର ପରେ ଏହି ବାଇକ୍‌ରୁ ଗୋଟିଏ କିଣିବାକୁ ଚାହୁଁଛନ୍ତି। ଏବଂ ଯଦି ସମ୍ଭବ ହୁଏ କ୍ରୟ କରିବା ପୂର୍ବରୁ ବାଇକ୍‌ର ଏକ ମଡେଲ ତାଙ୍କୁ ଦେଖାଇବାକୁ ସେ କହିଥିଲେ।

ଆଜି ସିଜେଆଇ ଜଷ୍ଟିସ୍‌ ବୋବଡେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସଂପୃକ୍ତ ଡିଲରଙ୍କ ସୋ’ରୁମ୍‌ ନିକଟକୁ ଯାଇଥିଲେ। ଏହି ଅବକାଶରେ ଡିଲର ଜଣକ ଏହି ବାଇକ୍‌ଟିକୁ ଧରି ତାଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ଆଣିଥିଲେ। ଏହି ଅବସରରେ ସେ ବାଇକ୍‌ଟିର ଅନୁଭବ ନେବାକୁ କେବଳ ଏହା ଉପରେ ବସିଥିଲେ ମାତ୍ର। ଏହାକୁ ଚଲାଇ ନଥିଲେ। କିମ୍ବା ବାଇକ୍‌ଟି ଯେ ବିଜେପି ନେତାଙ୍କ ପୁଅର ସେ କଥା ମଧ୍ୟ ସେ ଜାଣି ନଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ସିଜେଆଇ ଜଷ୍ଟିସ୍‌ ବୋବେ୍‌ଡ଼ଙ୍କର ମୋଟର ସାଇକେଲ୍‌ ପ୍ରେମ କାହାକୁ ଅଛପା ନୁହେଁ। ସେ ତାଙ୍କ ଯୁବାବସ୍ଥାରେ ବିଚାରପତି ହେବା ଆଗରୁ ସବୁବେଳେ ମୋଟର ସାଇକେଲ ଚଢ଼ୁଥିଲେ। ତାଙ୍କର ଗୋଟିଏ ରୟଲ୍‌ ଏନ୍‌ଫିଲ୍‌ଡ୍‌ ନିର୍ମିତ ବୁଲେଟ୍‌ ଓ ଅନ୍ୟ ଗୋଟିଏ ଜାୱା ମୋଟର ସାଇକେଲ ଥିଲା। ପ୍ରଧାନ ବିଚାରପତି ଆସନ ଅଳଂକୃତ କରିବା ପୂର୍ବରୁ ଗତବର୍ଷ ସେ ସୁପ୍ରିମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଥିବାବେଳେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାସଭବନ ପରିସର ମଧ୍ୟରେ ସେ ଅନ୍ୟ ଏକ ହାର୍ଲି ଡେଭିଡ୍‌ସନ୍‌ ମୋଟର ସାଇକେଲ୍‌ର ଟେଷ୍ଟ ଡ୍ରାଇଭିଙ୍ଗ୍‌ ନେଉଥିବା ବେଳେ ଦୁର୍ଘଟଣା ଘଟି ତାଙ୍କର ମଣିବନ୍ଧ ଭାଙ୍ଗିଥିଲା। ଏବଂ ସେ କିଛି ଦିନ ପାଇଁ ଅଦାଲତ କାର୍ଯ୍ୟ ଏବଂ ସୁପ୍ରିମ୍‌ କୋର୍ଟ କଲେଜିୟମ୍‌ ବୈଠକରେ ଅନୁପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର