ଏମିତି ଚୋର ଦେଖିନଥିବେ: ପେଟ୍ରୋଲ ସରିବା ଯାଏଁ ବାଇକ ଚଳାଉଥିଲା, ତା ପରେ ଫୋଫାଡ଼ି ଚାଲିଯାଉଥିଲା

ଲଖନଉ: ଗାଡି ଚଳାଇବା ସଉକ ଥିଲା ଆଉ ଏଥିପାଇଁ ହିଁ ଗାଡି ଚୋରି କରୁଥିଲା | ମନଭରି ଗାଡି ଚଳାଇବା ପରେ ଯେତେବେଳେ ପେଟ୍ରୋଲ ସରିଯାଉଥିଲା ସେଠାରେ ଗାଡିକୁ ଫୋଫାଡ଼ି ଦେଇ ଚାଲିଯାଉଥିଲା | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଚୋର ବାବଦରେ କହିବୁ, ଯାହାକୁ ଶନିବାର ରାତିରେ ଉତ୍ତରପ୍ରଦେଶ ଆଲାମବାଗ ପୁଲିସ ଗିରଫ କରିଛି | ପୁଲିସ ଜଣେ ୧୫ ବର୍ଷୀୟ ଚୋରକୁ ଗିରଫ କରିଛି ଯିଏ କେବଳ ବାଇକ୍ ଏବଂ ସ୍କୁଟି ଚଳାଇବା ପାଇଁ ଚୋରି କରୁଥିଲା। ପେଟ୍ରୋଲ ଶେଷ ନହେବା ପର୍ଯ୍ୟନ୍ତ ସେ ଚଳାଉଥିଲା ଓ ପେଟ୍ରୋଲ ସରିଗଲେ ତାହାକୁ ଫୋଫାଡ଼ି ଚାଲିଯାଉଥିଲା | ଗତ ଏକ ମାସ ମଧ୍ୟରେ ସେ ସାତୋଟି ବାଇକ୍, ଦୁଇଟି ସ୍କୁଟି ଏବଂ ଗୋଟିଏ ଇ-ରିକ୍ସା ଚୋରି କରିଥିଲା।

ସୂଚନା ମୁତାବକ ରାସ୍ତା କଡରେ ପ୍ରାୟ ସମୟ ବାଇକ ଓ ସ୍କୁଟି କେହି ଜଣେ ଫୋଫାଡ଼ି ଚାଲିଯାଇଥିବାର ଖବର ପୁଲିସ ପାଖରେ ପହଁଚୁଥିଲା | ଆଉ ଏହା ପୁଲିସର ନିଦ ଉଡାଇଦେଇଥିଲା | ଚୋରକୁ ଧରିବା ପାଇଁ ଡିସିପି ସେଣ୍ଟ୍ରାଲ ଡକ୍ଟର ଖ୍ୟାତି ଗର୍ଗ ଏକ ଦଳ ଗଠନ କରିଥିଲେ। ଏହା ପରେ ଆଲାମବାଗ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ଗିରଫ କିଶୋର(ଛଦ୍ମନାମ) କୃଷ୍ଣନଗର ଅଂଚଳରେ ରହୁଥିବାବେଳେ ତାଙ୍କ ବାପା ଏକ ମାଂସ ଦୋକାନରେ କାମ କରନ୍ତି। କିଶୋର ବାଇକ ଚଳାଇବାକୁ ଏମିତି ପାଗଳ ହୋଇଯାଇଥିଲେ ଯେ ଗାଡି ଚଳାଇବା ପାଇଁ ଚୋରି କରୁଥିଲେ | ତାଙ୍କ ନିକଟରୁ ଅନେକ ବାଇକ୍ ଚାବି ମଧ୍ୟ ଜବତ କରାଯାଇଥିଲା। ଆଲାମବାଗ ଥାନା ଇନ୍ସପେକ୍ଟର ଅମରନାଥ ବିଶ୍ୱକର୍ମା କହିଛନ୍ତି ଯେ ଶନିବାର ରାତିରେ ଗାଡି ଯାଞ୍ଚ ବେଳେ ଚୋରକୁ ପୁଲିସ ଗିରଫ କରିଥିଲା | ଆଉ ସେ ହିଁ ଚୋରି କରି ଫୋଫାଡ଼ି ଦେଇଯାଉଥିବାର ସ୍ୱୀକାର କରିଛି |

ସମ୍ବନ୍ଧିତ ଖବର