ବାହାନଗା: ସୋମବାର ସକାଳ ପ୍ରାୟ ୯ଟା ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥର ଚିତାପଦା ଡାଇଭର୍ସନ ନିକଟରେ ଗୋଟାଏ ମଟରସାଇକେଲ୍ ଉପରେ ଗୋଟାଏ ଦଶଚକିଆ ଟ୍ରକ୍ ଚଢ଼ିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଜଣେ ମହିଳା ସାଙ୍ଘାତିକ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ବ୍ୟକ୍ତିଜଣକ ହେଉଛନ୍ତି କସବାଜୟପୁର ପଞ୍ଚାୟତ ଅନ୍ତର୍ଗତ ଭାଲୁକା ଗାଁର ଉମେଶ ଚନ୍ଦ୍ର ମଲ୍ଲିକଙ୍କ ୧୯ ବର୍ଷିୟ ପୁଅ ମାନସ ଓରଫ ମୁନ୍ନା। ଆହତ ମହିଳାଜଣକ ହେଉଛନ୍ତି ସେହି ଗ୍ରାମର କରୁଣାକର ମଲ୍ଲିକଙ୍କ ୩୫ ବର୍ଷୀୟ ପତ୍ନୀ କବିତା।
ଆଜି ସକାଳେ ମାନସ ବାଇକ୍ ଚଳାଇ ଖନ୍ତାପଡ଼ା ବଜାରକୁ ଆସୁଥିବା ବେଳେ ବାଟରେ କବିତାଙ୍କ ସହ ଭେଟ ହୋଇଥିଲା। କବିତା ଖନ୍ତାପଡ଼ା ବଜାରକୁ ଯାଉଥିବାରୁ ମାନସ ତାଙ୍କୁ ଲିଫ୍ଟ୍ ଦେଇଥିଲେ।
ଗାଁ ରାସ୍ତାରୁ ଚିତାପଦା ଡାଇଭର୍ସନ୍ ପାଖରେ ରାଜପଥ ଉପରକୁ ବାଇକ୍ ଉଠାଇବା ସମୟରେ ଭଦ୍ରକ ଆଡୁ ବାଲେଶ୍ୱର ଆଡ଼କୁ ଦ୍ରୁତ ବେଗରେ ଯାଉଥିବା ଗୋଟାଏ ଦଶଚକିଆ ଟ୍ରକ୍ ଯୋର୍ରେ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍ରୁ ଛିଟିକି ରାସ୍ତାରେ ପଡ଼ିଯାଇଥିଲେ। ମାନସ ଟ୍ରକ୍ର ଡାହାଣ ପାର୍ଶ୍ୱ ଚକା ତଳେ ଓ କବିତା ବାମ ପାର୍ଶ୍ୱ ଚକା ତଳେ ଚାପି ହୋଇ ଯାଇଥିଲେ।
ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଗୋଟାଏ ଟ୍ରଲି ଅଟୋରେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତରମାନେ ମାନସଙ୍କୁ ମୃତ ଘୋଷଣା କରିଥିଲେ। କବିତାଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଖନ୍ତାପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ମୋଟର୍ସାଇକେଲ୍ ଓ ଟ୍ରକ୍କୁ ଜବତ କରିଛି।