ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀ ଜାସନ କ୍ଲେୟାରଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀଠାରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା ନେଇ ୧୧ଟି ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ଭାରତର କୃଷିକ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଗାମୀ ଦେଢବର୍ଷରେ ଅଷ୍ଟ୍ରେଲିଆ ସରକାର ୧.୮୯ ମିଲିୟନ ଡଲାର ଖର୍ଚ୍ଚ କରିବେ। ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନ ମିଳିତଭାବେ ନୂଆ ପାଠ୍ୟକ୍ରମ ତିଆରି କରିବା, ପ୍ରଶିକ୍ଷକ ସୃଷ୍ଟି କରିବା ସହ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଉପରେ ଯୋଜନା ପ୍ରସ୍ତୁତ ହେବ। ଅଷ୍ଟ୍ରେଲିଆ ଓ ଭାରତରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ପରସ୍ପର ମାନ୍ୟତା ଦେବା ସହ ଆଇଇଆଇଏଫ୍ କ୍ରିଟିକାଲ ସ୍କିଲ ପ୍ରୋଜେକ୍ଟର ଘୋଷଣା କରାଯାଇଛି। ଆଜିର ଦ୍ୱିପାକ୍ଷିକ ବୈଠକ ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ନୂଆ ସୁଯୋଗ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ କର୍ମଜୀବୀଙ୍କୁ ସୁବିଧା ପ୍ରଦାନ କରିବା ସହ ଦୁଇ ଦେଶ ମଧ୍ୟରେ ଯୋଗ୍ୟତାକୁ ପାରସ୍ପରିକ ମାନ୍ୟତା ପ୍ରଦାନ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତାର ଅଂଶବିଶେଷ। ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟ୍ୟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଦୁଇ ଦେଶର ଯୁବବର୍ଗଙ୍କୁ ଶିକ୍ଷା ଓ ରୋଜଗାରରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ତରର ଶିକ୍ଷା ଓ ଦକ୍ଷତାର ଯୋଗ୍ୟତାକୁ ନେଇ ପାରସ୍ପରିକ ସ୍ୱୀକୃତି ପାଇଁ ଏକ ବିସ୍ତୃତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି।

ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଏଆଇଇଏସ୍‌ସି ଏବଂ ଜୁନ୍‌ ମାସରେ ହେବାକୁ ଥିବା ଜି-୨୦ ଶିକ୍ଷା ବୈଠକରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ଓଡ଼ିଶାର ବାଲିଯାତ୍ରାକୁ ବାଖ୍ୟା କରୁଥିବା ପାରମ୍ପରିକ ନୌବାଣିଜ୍ୟ ଯାତ୍ରାର ଏକ ତାରକସି କଳାକୃତି ଏବଂ ଶ୍ରୀଅରବିନ୍ଦଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରଦାନ କରିଥିଲେ।