ନ୍ୟୁୟର୍କ: ୟୁକ୍ରେନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସ୍ପଷ୍ଟ ସମର୍ଥନ କରିଥିବାରୁ ୟୁକ୍ରେନର ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଜେଲେନସ୍କିଙ୍କ ଅନୁରୋଧକ୍ରମେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ କରିଥିଲେ। ୟୁକ୍ରେନରେ ଚାଲିଥିବା ସଂଘର୍ଷ ଏବଂ ଶାନ୍ତି ଦିଗରେ ବାଟ ଖୋଜିବା ପାଇଁ ଉଭୟ ନେତା ଜାତିସଂଘ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଥିଲେ। ଏକ୍ସରେ ଏକ ପୋଷ୍ଟ କରି ଜେଲେନସ୍କି ଫଳପ୍ରଦ ବାର୍ତ୍ତାଳାପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଏହା ଆମର ତୃତୀୟ ଦ୍ୱିପାକ୍ଷିକ ବୈଠକ। ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ।
ଆନ୍ତର୍ଜାତିକ ପ୍ଲାଟଫର୍ମରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରି ଜେଲେନସ୍କି କହିଛନ୍ତି, ‘ଆମ କଥାବାର୍ତ୍ତାର ମୁଖ୍ୟ ଗୁରୁତ୍ବ ଅନ୍ତର୍ଜାତୀୟ ପ୍ଲାଟଫର୍ମ, ବିଶେଷକରି ଜାତିସଂଘ ଏବଂ ଜି-୨୦ରେ ଆମର ସଂପୃକ୍ତି ବୃଦ୍ଧି କରିବା ସହିତ ଶାନ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଉପରେ ଥିଲା। ଭାରତର କୂଟନୈତିକ ଆଭିମୁଖ୍ୟ ଉପରେ ଜୋର୍ ଦେଇ ଜେଲେନସ୍କି କହିଛନ୍ତି, ଆମର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ସମର୍ଥନ କରିଥିବାରୁ ନ୍ୟାୟ ପାଇଁ ଆମର ଲଢ଼େଇ ନିମନ୍ତେ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ।
ଜେଲେନସ୍କିଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ମୋଦୀ ଭାରତର ‘ସ୍ପଷ୍ଟ, ନିରନ୍ତର ଏବଂ ଗଠନମୂଳକ’ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ। ଦ୍ବିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ନ୍ୟୁୟର୍କରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା ହୋଇଛି । ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଗତ ମାସରେ ମୋର ୟୁକ୍ରେନ ଗସ୍ତ ସମୟର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/1ihAG0wABG73ovFrXtkq.jpg)