ନୂଆଦିଲ୍ଲୀ : ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଜଣ ଦୋଷୀଙ୍କୁ କ୍ଷମା କରାଯିବା ଅତି ମାରାତ୍ମକ ନିଷ୍ପତ୍ତି ବୋଲି ଦର୍ଶାଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ। ୧୩୦ରୁ ଅଧିକ ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ ଶନିବାର ଦିନ ଏନେଇ ପ୍ରଧାନ ବିଚାରପତିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଭଳି ଏକ ବଡ଼ ଭୁଲ୍‌ ନିଷ୍ପତ୍ତିକୁ ସୁଧାରିବାପାଇଁ ସେମାନେ ଗୁରୁତ୍ବାରୋପ କରିଛନ୍ତି। ମାମଲାରେ ଜେଲ୍‌ରୁ ଖଲାସ ହୋଇଥିବା ୧୧ ଜଣ ଦୋଷୀଙ୍କୁ ପୁନର୍ବାର ଜେଲ୍‌ ପଠାଇବା ସଂକ୍ରାନ୍ତରେ ସିଜେଆଇ ନିଷ୍ପତ୍ତି ନେବାପାଇଁ ଚିଠିରେ କୁହାଯାଇଛି।