ନୂଆଦିଲ୍ଲୀ : ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ସମସ୍ତ ୧୧ ଜଣ ଦୋଷୀଙ୍କ ଦଣ୍ଡକୋହଳ କରି ସେମାନଙ୍କୁ ଜେଲ୍ରୁ ମୁକ୍ତ କରାଯିବାକୁ ବିରୋଧ କରି ବିଲକିସ ବାନୋ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଲକିସ ବାନୋଙ୍କର ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଏବଂ ଗୁଜରାଟ ସରକାରଙ୍କୁ ନୋଟିସ କରିଛନ୍ତି। କୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତା ଏପ୍ରିଲ ୧୮ ତାରିଖରେ ରଖିଛନ୍ତି। ଏପ୍ରିଲ ୧୮ ଶୁଣାଣି ସମୟରେ ଉଭୟ ଗୁଜରାଟ ସରକାର ଏବଂ କେନ୍ଦ୍ର ସରକାର ସମସ୍ତ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ସହ ପ୍ରସ୍ତୁତ ରହିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ଆଇନ ଅନୁଯାୟୀ ହେବ ବୋଲି ଜଷ୍ଟିସ କେଏମ୍ ଜୋସେଫ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି।
ଖଣ୍ଡପୀଠ କହିଛନ୍ତି, ଆମେ ଆବେଗର ସହ ନୁହେଁ ବରଂ ଆଇନ ଅନୁଯାୟୀ ନିଷ୍ପତ୍ତି ନେବୁ। ବିଲକିସ ବାନୋ ମାମଲାରେ ନୂଆ ଖଣ୍ଡପୀଠ ଗଠନ ପାଇଁ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଗତ ସପ୍ତାହରେ ରାଜି ହୋଇଥିଲେ। ବାନୋଙ୍କୁ ୨୧ ବର୍ଷ ହୋଇଥିବାବେଳେ ଏବଂ ସେ ୫ ମାସର ଗର୍ଭବତୀ ଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ବାନୋଙ୍କ ୩ ବର୍ଷର ଝିଅ ସମେତ ତାଙ୍କ ପରିବାରର ମୋଟ୍ ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଗୁଜରାଟ ସରକାରଙ୍କ ଦଣ୍ଡକୋହଳ ନୀତି ଆଧାରରେ ଛଡ଼ାଯାଇଥିଲା। ଗତବର୍ଷ ସ୍ବାଧୀନତା ଦିବସରେ ୧୧ ଦୋଷୀ ଜେଲ୍ରେ ମୁକୁଳିଥିଲେ। କିନ୍ତୁ ବାନୋ ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି କୋର୍ଟ ଯାଇଛନ୍ତି।