ନୂଆଦିଲ୍ଲୀ: ୨୦୦୨ରେ ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଭ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣ ବ୍ୟକ୍ତି ପୁଣି ଜେଲକୁ ଫେରିବେ। ଦୁଇ ସପ୍ତାହ ମଧ୍ୟରେ‌ ସେମାନେ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରି‌ବେ। ‘ଉତ୍ତମ ଆଚରଣ’ ଆଧାରରେ ଏହି ଦୋଷୀମାନଙ୍କୁ ଜେଲରୁ ମୁକ୍ତ କରିବା ଲାଗି ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟ ଆଜି ବାତିଲ କରିବା ସହିତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାର ରାୟ ଶୁଣାଇବା ବେଳେ ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାର ଉପରେ ଭୀଷଣ ବର୍ଷିଛନ୍ତି। କହିଛନ୍ତି ଯେ ରାଜ୍ୟ ସରକାର ନିଜ କ୍ଷମତାର ଦୁରୁପ‌ଯୋଗ କରିବା ସହିତ ଦୋଷୀମାନଙ୍କ ସହିତ ମିଶିଥିଲେ। କେବଳ ଏତିକି ନୁହେଁ, ଏହି ଦୋଷୀମାନଙ୍କ ବିଚାର ମହାରାଷ୍ଟ୍ରରେ ହୋଇଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାରର କ୍ଷମତା ନାହିଁ। ଏସଂପର୍କରେ ୨୦୨୨ରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଦେଇଥିବ‌ା ଆଦେଶକୁ ମଧ୍ୟ ଅଦାଲତ ବାତିଲ କରିଦେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ୨୦୨୨ ମେ ମାସରେ ସୁପ୍ରିମ କୋର୍ଟରୁ ଚାଲବାଜ ଉପାୟରେ ହାସଲ କରାଯାଇଥିବା ଏକ ଆଦେଶକୁ ଆଧାର କରି ଗୁଜରାଟ ସରକାର ଏହି ୧୧ ଜଣ ଦୋଷୀଙ୍କୁ ୨୦୨୨ ଅଗଷ୍ଟ ୧୫ ତାରିଖରେ ଜେଲରୁ ମୁକ୍ତ କରିଥିଲେ। ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଲକିସ ବାନୋଙ୍କ ସମେତ ଅନେକ ବ୍ୟକ୍ତି ଓ ସଂଗଠନ ଏହା ବିରୋଧରେ ସୁପ୍ରିମ କୋର୍ଟରେ ପିଟିସନ ଦାୟର କରିଥିଲେ। ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ଗୁଜରାଟ ସରକାରଙ୍କୁ ଭର୍ତ୍ସନା କରିବା ସହିତ ଏହି ନିଷ୍ପତ୍ତି ଉକ୍ତ ରାଜ୍ୟ ଅଧିକାର ବାହାରେ ବୋଲି କୋର୍ଟ କହିଛନ୍ତି। ଗୁଜରାଟ ସରକାର ମୁଣ୍ଡ ନଖଟାଇ ଏହି ମାମଲାର ଦୋଷୀଙ୍କୁ ମୁକ୍ତ କରି ଦେଇଛନ୍ତି। ଯେଉଁ ରାଜ୍ୟରେ ଅପରାଧୀମାନଙ୍କର ବିଚାର ହୋଇଥିଲା ସେହି ରାଜ୍ୟ ହିଁ ସେମାନଙ୍କୁ ଜେଲରୁ ମୁକୁଳାଇ ପାରିବ। ମାମଲାର ବିଚାର ମହାରାଷ୍ଟ୍ରରେ ହୋଇଥିବାରୁ ମହାରାଷ୍ଟ୍ର ସରକାର ହିଁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର କ୍ଷମତା ରହିଛି। ଗୁଜରାଟ ସରକାରଙ୍କ ନିଷ୍ପତ୍ତି କ୍ଷମତାର ହଡ଼ପ ଏବଂ ଅପବ୍ୟବହାର ବୋଲି କୋର୍ଟ କହିଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା ଅଧିକାର ପରିପ୍ରେକ୍ଷୀରେ ଦୋଷୀମାନଙ୍କୁ ଜେଲକୁ ଫେରିବାକୁ ପଡ଼ିବ କି ନାହିଁ? ଏହି ପ୍ରଶ୍ନର ଉତ୍ତରରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସେମାନଙ୍କୁ ଜେଲରୁ ବାହାରେ ରହିବାକୁ ଅନୁମତି ଦେବା ‘ଅବୈଧ ଆଦେଶ’କୁ ବୈଧ କରିବା ସଦୃଶ ହେବ। ପରିଣାମ ଯାହା ହେଉ ନାଁ କାହିଁକି ଆଇନର ଶାସନକୁ ସୁରକ୍ଷିତ ରଖିବାକୁ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। କେବଳ ସେତିକି ନୁହେଁ, ୨୦୨୨ ମେ ମାସରେ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଅଜୟ ରାସ୍ତୋଗୀ (ସଂପ୍ରତି ଅବସରପ୍ରାପ୍ତ) ଏହି ମାମଲାରେ ଦେଇଥିବା ରାୟକୁ ମଧ୍ୟ କୋର୍ଟ ସମାଲୋଚନା କରିଛନ୍ତି। ଗୁଜରାଟ ସରକାରଙ୍କ ଦ୍ବାରା ‌ଦୋଷୀଙ୍କୁ ଆଗୁଆ ମୁକୁଳାଇବା ପାଇଁ କରାଯାଇଥିବା ଆବେଦନକୁ ବିଚାରପତି ରାସ୍ତୋଗୀ ଗ୍ରହଣ କରି ଏହା ଉପରେ ବିଚାର ପାଇଁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ‌ଦେଇଥିଲେ। ଚାଲବାଜ ଉପାୟରେ ଦୋଷୀମାନେ ଏପରି ଆଦେଶ ହାସଲ କରଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଗୁଜରାଟ ସରକାର ପିଟିସନ କାହିଁକି ଦାୟର କଲେ ନାହିଁ ବୋଲି କୋର୍ଟ ଆଜି ପ୍ରଶ୍ନ କରିଛନ୍ତି।

ଗୁଜରାଟ ସରକାର ପୁରୁଣା ଓ ଅକାମୀ ହୋଇପଡ଼ିଥିବା ୧୯୯୨ର ଏକ ନିୟମକୁ ଆଧାର କରି ‌ଦୋଷୀମାନଙ୍କୁ ୨୦୨୨ରେ ମୁକ୍ତ କରିଦେଇଥିଲେ। ୧୯୯୨ର ଅକାମୀ ଆଇନ ବଦଳରେ ୨୦୧୪ରେ ଯେଉଁ ଆଇନ ପ୍ରଣୟନ କରାଯାଇଥିଲା, ସେଥିରେ ଏଭଳି ‌ଦୋଷୀମାନଙ୍କୁ ଜେଲରୁ ମୁକ୍ତ କରାଯିବାକୁ ବାରଣ କରାଯାଇଥିଲା। ନୂଆ ଆଇନକୁ ଅଣଦେଖା କରି ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ଲାଗି ଏକ ସରକାରୀ କମିଟିର ମତାମତ ନେଇଥିଲେ। ଏହି କମିଟି ଦୋଷୀଙ୍କୁ ମୁକ୍ତ କରିବା ସପକ୍ଷରେ ମତ ଦେଇଥିଲେ। କମିଟି ସଭ୍ୟମାନେ ଯୁକ୍ତି କରିଥିଲେ ଯେ ଦୋଷୀମା‌ନେ ଆଜୀବନ କାରାଦଣ୍ଡ (ଜେଲରେ ୧୪ ବର୍ଷ) ଭୋଗ କରିସାରିଛନ୍ତି ଏବଂ ଜେଲରେ ଏହି ‘ସଂସ୍କାରୀ ବ୍ରାହ୍ମଣ’ଙ୍କର ଆଚରଣ ଉତ୍ତମ ରହିଛି। ଏହାପରେ ରାଜ୍ୟ ସରକାର ସେମାନଙ୍କୁ ମୁକ୍ତ କରିଦେଇଥିଲେ। ଦୋଷୀମ‌ାନେ ଜେଲରୁ ବାହାରିବା ପରେ ସେମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଫୁଲମାଳ ପକାଇ ସ୍ବାଗତ କରାଯାଇଥିଲା। ସେମାନେ ବିଜେପି ସାଂସଦ ଓ ବିଧାୟକଙ୍କ ସହିତ ମଞ୍ଚରେ ବସିଥିବାର ମଧ୍ୟ ଖବର ପ୍ରସାରିତ ହୋଇଥିଲା।
ଅନ୍ୟପକ୍ଷରେ ଗୁଜରାଟ ସରକାରଙ୍କ ପକ୍ଷରୁ ଦୋଷୀମାନଙ୍କୁ ଆଗୁଆ ଜେଲରୁ ମୁକୁଳାଇବାକୁ ବିରୋଧ କରି ବିଲକିସ ବାନୋଙ୍କ ସମେତ ସିପିଏମ୍ ନେତ୍ରୀ ସୁଭାଷିନୀ ଅଲ୍ଲୀ, ଟିଏମ୍‌ସି ନେତ୍ରୀ ମହୁଆ ମୈତ୍ର, ସାମ୍ବାଦିକ ରେବତୀ ଲୌଲ ଏବଂ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ରୂପ ରେଖା ବର୍ମା ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତବର୍ଷ ଅଗଷ୍ଟରେ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ୧୧ ଦିନ ଧରି ଶୁଣାଣି ହେବା ସହିତ ଅକ୍ଟୋବର ୧୨ରେ ରାୟକୁ ସଂରକ୍ଷିତ ରଖାଯାଇଥିଲା।
ସୂଚନାଯୋଗ୍ୟ ଯେ ୨୦୦୨ରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସମୟରେ ସେ ୫ ମାସର ଗର୍ଭବତୀ ଥିଲେ। ଏଥିସହିତ ହତ୍ୟା କରାଯାଇଥିବା ତାଙ୍କ ପରିବାରର ୭ ସଦସ୍ୟଙ୍କ ମଧ୍ୟରେ ତାଙ୍କର ୩ ବର୍ଷର ଝିଅ ମଧ୍ୟ ଥିଲା।