ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ୨୦୦୨ ଗୁଜରାଟ ଦଙ୍ଗ ପୀଡ଼ିତା ବିଲକିସ ବାନୋଙ୍କୁ ଶକ୍ତ ଝଟ୍କା ଲାଗିଛି। କୋର୍ଟ ବିଲକିସ ବାନୋ କରିଥିବା ୨ଟି ଆବେଦନ ମଧ୍ୟରୁ ଗୋଟିଏ ଆବେଦନକୁ ଖାରଜ କରିଦେଇଛନ୍ତି। ବିଲକିସ ବାନୋ ମାମଲାର ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ଛାଡ଼ କରିବାପାଇଁ ହୋଇଥିବା ଆବେଦନ ଉପରେ ଗୁଜରାଟ ସରକାର ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ମେ’ ୨୦୨୨ରେ ଏକ ରାୟ ଦେଇ କହିଥିଲେ। ତେବେ ଉକ୍ତ ରାୟର ପୁନଃସମୀକ୍ଷା ପାଇଁ ବିଲକିସ ବାନୋ ଆବେଦନ କରିଥିଲେ। ଆଜି କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷେ ୧୧ ଦୋଷୀଙ୍କୁ ଜେଲ୍ରୁ ମୁକ୍ତ କରାଯିବାକୁ ବିରୋଧ କରି ମଧ୍ୟ ବିଲ୍କିସ ବାନୋ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଆଜି ବାନୋଙ୍କ ଗୋଟିଏ ଆବେଦନ ଖାରଜ କରିଦେଇଥିଲେ ସୁଦ୍ଧା ଅନ୍ୟ ଆବେଦନ ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୦୨ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୧ ଜଣ ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗିଥିଲେ। ତେବେ ଗୁଜରାଟ ସରକାର ଚଳିତ ବର୍ଷ ଅଗଷ୍ଟ ୧୫ରେ ସେମାନଙ୍କୁ ଜେଲ୍ରୁ ମୁକ୍ତ କରିଦେଇଛନ୍ତି। ଭଲ ବ୍ୟବହାର ଆଧାରରେ ସରକାର ସେମାନଙ୍କୁ ଖଲାସ କରିଥିବା ନେଇ ଯୁକ୍ତି ରଖିଛନ୍ତି। କିନ୍ତୁ ବିଲକିସ ବାନୋ ଏହାକୁ ଚ୍ୟାଲେଂଜ କରି କୋର୍ଟର ଦ୍ବାରସ୍ଥ ହୋଇଛନ୍ତି।