ନୂଆଦିଲ୍ଲୀ : ବ୍ୟାଙ୍କକୁ ଠକି କୋଟି କୋଟି ଟଙ୍କା ଚଳୁ କରି ଫେରାର ହେବା ମହଙ୍ଗା ପଡିବ। ବ୍ୟାଙ୍କକୁ ଚୂନା ଲଗାଇ ଫେରାର ହେଉଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ ପାଇଁ ଖୁବ ଶୀଘ୍ର ହେବ କଠୋର ଆଇନ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଫୁଜିଟିଭ୍ ଇକୋନମିକ୍ ଅଫେଣ୍ଡର ବିଲ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି। ବିଲ ପାସ ହୋଇ ଆଇନରେ ପରିଣତ ହେଲେ ବ୍ୟାଙ୍କକୁ ସୁରକ୍ଷା ମିଳିବ ଏବଂ କର୍ପୋରେଟ୍ ଋଣ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହଜ ହେବ।
ବିଲରେ ତଦନ୍ତକାରୀ ଏଜେନ୍ସିକୁ ଅଧିକ କ୍ଷମତା ଦିଆଯିବା ପ୍ରସ୍ତାବ ଅଛି। ଋଣ ଖିଲାପକାରୀଙ୍କ ସଂପତି ଜବତ କରିବା ପାଇଁ ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି। ଏଥିସହ ବ୍ୟାଙ୍କ ଋଣ ପରିଶୋଧ ନକରି ବିଦେଶକୁ ପଳାଉଥିବା ଶିଳ୍ପପତିଙ୍କ ସଂପତି ଜବତ କରାଯିବାର ବ୍ୟବସ୍ଥା ରହିଛି। ଏପରିକି ବିଦେଶରେ ଥିବା ସେମାନଙ୍କ ସଂପତି ଜବତ କରିବା ପାଇଁ ମଧ୍ୟ ବିଲରେ ରହିଛି ବ୍ୟବସ୍ଥା। ଚଳିତ ମାସରେ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା।