ନୂଆଦିଲ୍ଲୀ: ଓମିକ୍ରନ ପ୍ରଜାତିର କରୋନା ଭୂତାଣୁ ଏବେ ବିଶ୍ବର ୫୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି। ଏଥିପାଇଁ ବିଶ୍ବବ୍ୟାପୀ ଚିନ୍ତା ପ୍ରକଟ କରାଯାଉଛି। କିନ୍ତୁ ଇତିମଧ୍ୟରେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ ଏକ ଆଶାଜନକ ମନ୍ତବ୍ୟ ଦେଇଛନ୍ତି। କରୋନା ମହାମାରୀର ଭୟଙ୍କର ପର୍ଯ୍ୟାୟ ୨୦୨୨ରେ ଶେଷହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏକ ବ୍ଲଗ ପୋଷ୍ଟରେ ସେ ଲେଖିଛନ୍ତି ପୂର୍ବାପେକ୍ଷା ବିଶ୍ବ ଏବେ ମହାମାରୀକୁ ପରିଚାଳନା କରିବା କ୍ଷେତ୍ରରେ ଭଲଭାବେ ପ୍ରସ୍ତୁତ ରହିଛି।

Advertisment

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବିଶ୍ବରେ ୨୬ କୋଟି ୮୭ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଛି। ନୂଆ ଓମିକ୍ରନ ପ୍ରଜାତି ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇ ୫୯ ରାଷ୍ଟ୍ରରେ ବ୍ୟାପିଲାଣି। ଏହି ରୋଗରେ ଗୁରୁତର ହେବାର ଆଶଙ୍କା ସେତେଟା ଅଧିକ ନଥିଲେ ମଧ୍ୟ ଏହା ଅଧିକ ବେଗରେ ବ୍ୟାପୁଛି ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି।

ବୁଧବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧନମ୍ ଘେବ୍ରିୟେସସ୍ କହିଛନ୍ତି, ଓମିକ୍ରନ ଭାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ବିଶ୍ବର ୫୭ଟି ଦେଶରେ ଦେଖାଦେଇଛି। ଆହୁରି ଅଧିକ ଦେଶକୁ ଏହା ବ୍ୟାପିବା ଆଶଙ୍କା ରହିଛି। ଓମିକ୍ରନର ରୂପାନ୍ତରଣ ବହୁମାତ୍ରାରେ ହେଉଥିବାରୁ କୋଭିଡ ମହାମାରୀ ଉପରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ବର୍ଦ୍ଧିତ ସଂକ୍ରମଣକୁ ପରିଚାଳନା ପାଇଁ ବିଶ୍ବ ଏବେ ଅଧିକ ପ୍ରସ୍ତୁତ ରହିଛି ବୋଲି ବିଲ୍ ଗେଟ୍‌ସ କହିଛନ୍ତି।