ଭାରତର ମହାମାରୀ ମୁକାବିଲାକୁ ସବୁଆଡୁ ପ୍ରଶଂସା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ 

ନୂଆଦିଲ୍ଲୀ: କରୋନା ମହାମାରୀ ଲଢେଇରେ ଭାରତର ଭୂମିକାକୁ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ପ୍ରଶଂସା । ଏହାସହ ବୈଜ୍ଞାନିକ ଉଦ୍ଭାବନ ଓ ଟିକା ପ୍ରସ୍ତୁତିରେ ଭାରତ ନେତୃତ୍ୱ ନେଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଲ ଗେଟ୍ସ ପ୍ରଶଂସା କରିଛନ୍ତି । ବିଲ ଗେଟ୍ସ ଟ୍ୱିଟ କରି ଲେଖିଛନ୍ତି, ଯେଉଁ ସମୟରେ ସାରା ବିଶ୍ୱ କରୋନା ଭୂତାଣୁ ପରି ମହାମାରୀ ସହ ଲଢେଇ କରୁଛି, ସେହି ସମୟରେ ଭାରତର ବୈଜ୍ଞାନିକ ଓ ଚିକିତ୍ସକମାନେ ପ୍ରଶଂସନୀୟ କାମ କରିଛନ୍ତି । ବୈଜ୍ଞାନିକ ଉଦ୍ଭାବନ ଓ ଟିକା ପ୍ରସ୍ତୁତିରେ ଭାରତ ନେତୃତ୍ୱ ନେଇଛି । ଏହି ଟ୍ୱିଟରେ ପିଏମଓକୁ ମଧ୍ୟ ଟ୍ୟାଗ କରିଛନ୍ତି ବିଲ୍ ଗେଟ୍ସ ।

ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ବିଲ ଗେଟ୍ସ ଏବଂ ସଂକ୍ରମଣକୁ ରୋକିବା ଦିଗରେ ଭାରତ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଲକଡାଉନ, ହଟସ୍ପଟ ଚିହ୍ନଟ ଓ କ୍ୱାରେଂଟିନ ଏବଂ ଆଇସୋଲେସନ ପରି ପଦକ୍ଷେପ ଦ୍ୱାରା କରୋନା ମହାମାରୀକୁ ରୋକା ଯାଇ ପାରିବ ବୋଲି କହିଥିଲେ ସେ । ଏ ନେଇ ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଚିଠି ଲେଖିଥିଲେ ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଟେଡ୍ରସ ଆଧାନମ ମଧ୍ୟ ଭାରତର ପ୍ରଶଂସା କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି, ଯଦି ଆମେ ମିଳିତ ଭାବେ କାର୍ଯ୍ୟ କରିବା, ଆମେ ନିଶ୍ଚିତ କରିପାରିବା ଯେ ପ୍ରଭାବଶାଳୀ ଓ ନିରାପଦ ଟିକା ସବୁ ସ୍ଥାନରେ ସବୁଠାରୁ ଅସୁରକ୍ଷିତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେଇପାରିବ ।

କରୋନା ମହାମାରୀ ଭିତରେ ଦେଶରେ ଦୁଇଟି ଟିକାକୁ ଅନୁମତି ମିଳିବା ପରେ ଦେଶରେ ଖୁବ ଶୀଘ୍ର ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି କହିଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋମବାର ଦିନ ମୋଦୀ କହିଥିଲେ ଯେ, ଦେଶରେ କରୋନା ମହାମାରୀକୁ କାବୁ କରିବାକୁ ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ।

ସମ୍ବନ୍ଧିତ ଖବର