ଟିକା ପାର୍ଶ୍ବପ୍ରତିକ୍ରିୟାଜନିତ ମୃତ୍ୟୁ: ୧୦୦୦ କୋଟି ଟଙ୍କା କ୍ଷତିପୂରଣ ପାଇଁ ବମ୍ବେ ହାଇକୋର୍ଟରେ ବିଲ୍‌ ଗେଟ୍‌ସ୍‌ ଓ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନାମରେ ମାମଲା

ମୁମ୍ବାଇ: ‘କୋଭିସିଲ୍‌ଡ୍‌’ର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଝିଅର ମୃତ୍ୟୁ ଘଟିଛି ବୋଲି ଦିଲୀପ ଲୁନାୱତ୍‌ ଦାଏର କରିଥିବା ଅଭିଯୋଗ ଆଧାରରେ ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ (ଏସ୍‌ଆଇଆଇ) ପ୍ରତି ନୋଟିସ୍‌ ଜାରି କରିବା ସହ ଜବାବ ତଲବ କରିଛନ୍ତି।

ଝିଅର ମୃତ୍ୟୁଜନିତ କ୍ଷତିପୂରଣ ବାବଦକୁ ଆବେଦନକାରୀ ୧୦୦୦ କୋଟି ଟଙ୍କା ଦାବି କରିଛନ୍ତି।

ସ୍ମରଣଯୋଗ୍ୟ, ଭାରତ ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡ଼ିକ ଲାଗି ୧୦୦ ନିୟୁତ ପର୍ଯ୍ୟନ୍ତ ‘କୋଭିସିଲ୍‌ଡ୍‌’ ଟିକା ପ୍ରସ୍ତୁତି ଓ ଯୋଗାଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ୨୦୨୦ରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ‘ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ୍‌’ ସହିତ ଅଂଶୀଦାର ହୋଇଥିଲା।

Image Courtesy of India Today

ଉପରୋକ୍ତ ପିଟିସନ୍‌ରେ ଅନ୍ୟାନ୍ୟ ଜବାବ ଦାଖଲକାରୀମାନେ ହେଉଛନ୍ତି, ଭାରତୀୟ ରାଷ୍ଟ୍ର ସଂଘ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ, ଡାକ୍ତର ଭି.ଜି. ସୋମାନି, ଡ୍ରଗ୍‌ କଣ୍ଟ୍ରୋଲର୍‌ ଏବଂ ‘ଏମ୍‌ସ୍‌’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।

ଔରଙ୍ଗାବାଦବାସୀ ଦିଲୀପ ଲୁନାୱତ୍‌ ଅଦାଲତଙ୍କୁ କହିଛନ୍ତି କି, ଧାମନଗାଓଁସ୍ଥିତ ‘ଏସ୍‌ଏମ୍‌ବିଟି ଡେଣ୍ଟାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ତାଙ୍କ ଝିଅ ଥିଲେ ଜଣେ ଡାକ୍ତରାଣୀ ତଥା ବରିଷ୍ଠ ଅଧ୍ୟାପିକା। ପ୍ରତିଷ୍ଠାନରେ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ନେବାକୁ କୁହାଯିବା ପରେ ତାଙ୍କ ଝିଅକୁ ମଧ୍ୟ ଟିକା ନେବା ପାଇଁ ବାଧ୍ୟ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଝିଅକୁ ଭରସା ଦିଆଯାଇଥିଲା ଯେ, ଟିକା ସବୁ ସମ୍ପୂର୍ଣ୍ଣ ନିରାପଦ ହୋଇଥିବାରୁ ତାଙ୍କ ଦେହ ପ୍ରତି କୌଣସି ବିପଦ୍‌ ନାହିଁ। ଆବେଦନ ପତ୍ରରେ ଲୁନାୱତ୍‌ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଟିକା ସବୁ ନିରାପଦ ବୋଲି ଜନସାଧାଣଙ୍କୁ କେତେଗୁଡ଼ିଏ ସାକ୍ଷାତ୍‌କାରରେ ଡାକ୍ତର ସୋମାନି ଏବଂ ଗୁଲେରିଆ ଭରସା ଦେଇ କହିଛନ୍ତି।

Image Courtesy of Punekar News

ଆବେଦନ ସହିତ ଲୁନାୱତ୍‌ ୨୦୨୧, ଜାନୁଆରି ୨୮ ତାରିଖରେ ଝିଅ ନେଇଥିବା ଟିକା ପ୍ରମାଣପତ୍ର ମଧ୍ୟ ସଂଯୋଗ କରିଛନ୍ତି। ‘କୋଭିସିଲ୍‌ଡ୍‌’ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ୨୦୨୧ ମାର୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା କଥା ପିଟିସନ୍‌ରେ ଉଲ୍ଲେଖ କରାଯାଇଛି। ଏକଥା ୨୦୨୧, ଅକ୍ଟୋବର ୨ ତାରିଖରେ କେନ୍ଦ୍ର ସରକାରଙ୍କ ନିଜସ୍ବ ‘ଆଡ୍‌ଭର୍ସ ଇଭେଣ୍ଟ୍‌ ଫଲୋଇଙ୍ଗ୍‌ ଇମ୍ୟୁନାଇଜେସନ୍‌’ରେ (ଏଇଏଫ୍‌ଆଇ) ପ୍ରକାଶ ପାଇଥିଲା।

ଝିଅ ମୃତ୍ୟୁର ବିଚାର ଚାହାଁନ୍ତି ବୋଲି ଦିଲୀପ ଲୁନାୱତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର