ଭାରତକୁ ଘନିଷ୍ଠ ସାମରିକ ସହଯୋଗୀ ମାନ୍ୟତା ଦେବା ପାଇଁ ଆମେରିକୀୟ ସିନେଟରେ ବିଲ ଆଗତ

ୱାସିଂଟନ : ଭାରତର ନାଟୋ ଦେଶ ପରି ଘନିଷ୍ଠ ସାମରିକ ସହଯୋଗୀ ଦେଶ ମାନ୍ୟତା ଦେବା ପାଇଁ ଆମେରିକା କଂଗ୍ରେସ (ସଂସଦ)ର ଉଚ୍ଚ ସଦନ ସିନେଟରେ ଏକ ବିଲ ଆଗତ ହୋଇଛି । ଏହା ମାଧ୍ୟମରେ ୟୁଏସ ଆର୍ମସ କଣ୍ଟ୍ରୋଲ ଆଇନରେ ସଂଶୋଧନ ଆଣି ଭାରତକୁ ଏହି ମାନତା ଦେବା ପାଇଁ ପ୍ରସ୍ତାବ ରହିଛି । ଏଚଆର୨୧୨୩ ନାମକ ଏହି ବିଲକୁ ଡେମୋକ୍ରାଟ ସିନେଟର ମାର୍କ ୱାର୍ନର ଓ ରିପବ୍ଲିକାନ ସିନେଟର ଜନ କର୍ନିନ ଆଗତ କରିଛନ୍ତି । ଗତ ଏପ୍ରିଲମାସରେ ମଧ୍ୟ ଏହି ବିଲ ଆମେରିକୀୟ ସଂସଦର ନିମ୍ନ ସଦନ ହାଉସ ଅଫ ରିପ୍ରେଜେଣ୍ଟେଟିଭରେ ଆଗତ ହୋଇଥିଲା । ଏହାକୁ ଆଗତ କରିଥିଲେ ଆମେରିକୀୟ କଂଗ୍ରେସ ସଦସ୍ୟ ଜଏ ଓ୍ବିଲସନ । ଏହି ବିଲ ପଛରେ କେତେଜଣ ପ୍ରଭାବଶାଳୀ କଂଗ୍ରେସ ସଦସ୍ୟଙ୍କ ସମର୍ଥନ ରହିଛି ।

ଏହା ପାଶ ହୋଇଗଲେ ଭାରତ ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ) ର ସଦସ୍ୟରାଷ୍ଟ୍ର ପରି ଏକ ପ୍ରମୁଖ ସାମରିକ ସହଯୋଗୀ ରାଷ୍ଟ୍ରର ମାନ୍ୟତା ପାଇବ । ଏହା ଫଳରେ ଭାରତ ଆମେରକାରୁ ବିଭିନ୍ନ ସାମରିକ ଟେକନଲୋଜୀ ପାଇବା ସୁଗମ ହେବ ।
ଗତବର୍ଷ ଆମେରିକା ଭାରତକୁ ଏକ ସ୍ୱତନ୍ତ୍ର ସହଯୋଗୀ ଦେଶ (ଏସଟିଏ-୧) ମାନ୍ୟତା ଦେଇଥିଲା । ଏପରି ମାନ୍ୟତା ସାଧାରଣତଃ ନାଟୋ ଦେଶମାନଙ୍କୁ ଦେଇଥାଏ । ଏପରି ମାନ୍ୟତାପ୍ରାପ୍ତ ଦେଶମାନଙ୍କୁ ସାଧାରଣତଃ ଆମେରିକା ଉଚ୍ଚ ଟେକନଲୋଜୀ ସଂପନ୍ନ ସାମରିକ ଓ ବେସାମରିକ ଉପକରଣ ଓ ଟେକନଲୋଜୀ ହସ୍ତାନ୍ତର କରିଥାଏ । ଭାରତକୁ ଏହି ମାନ୍ୟତା ମିଳିବା ପାରେ ଆମେରିକା ଭାରତକୁ କେବଳ ଆଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଦେବନି, ସେଗୁଡ଼ିକର ଟେକନଲୋଜୀ ମଧ୍ୟ ହସ୍ତାନ୍ତର କରିବ ।

ସମ୍ବନ୍ଧିତ ଖବର