ଜାତୀୟ ଶିକ୍ଷାନୀତି ଚିଠା-୨୦୧୯: ପଛଘୁଞ୍ଚା ଦେଲା କେନ୍ଦ୍ର

ପ୍ରବଳ ବିରୋଧ ପରେ ସଂଶୋଧନ ଆଣିଲେ ସରକାର

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତି ଚିଠା ୨୦୧୯ରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବା ଲାଗି ରହିଥିବା ଯୋଜନାକୁ ନେଇ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ପ୍ରବଳ ବିରୋଧ କରିବା ପରେ ସରକାର ବାଧ୍ୟହୋଇ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଇଛନ୍ତି। ଶିକ୍ଷା ନୀତି ଚିଠା ଉପରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କ ଇଛା ଅନୁଯାୟୀ ଯେକୌଣସି ଭାଷା ଚୟନ କରିପାରିବେ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣରେ କୁହାଯାଇଛି।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଜନସାଧାରଣଙ୍କ ମତାମତ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ପରାମର୍ଶକୁ ବିଚାରକୁ ନେବା ପରେ ହିଁ ଜାତୀୟ ଶିକ୍ଷାନୀତିକୁ ଚୂଡ଼ାନ୍ତ ରୂପ ଦିଆଯିବ। ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି, କେ କସ୍ତୁରିରଙ୍ଗନ କମିଟି ମନ୍ତ୍ରାଳୟ ନିକଟରେ ଜାତୀୟ ଶିକ୍ଷା ନୀତି ଚିଠା ଦାଖଲ କରିଛନ୍ତି। ଏହା ଉପରେ ଜନତାଙ୍କ ମତାମତ ଲୋଡ଼ାଯିବ। ଏହା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ ହେବ। ତାହାପରେ ସରକାର କୌଣସି ନିଷ୍କର୍ସରେ ପହଞ୍ଚିବେ। କୌଣସି ଭାଷାକୁ କୌଣସି ରାଜ୍ୟ ଉପରେ ଲଦି ଦିଆଯିବ ନାହିଁ ବୋଲି ନିଶଙ୍କ କହିଛନ୍ତି। ଗତ ବିଜେପି ସରକାରଙ୍କ ଅମଳରେ ତତ୍କାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ପକ୍ଷରୁ ଜାତୀୟ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତ ପାଇଁ କସ୍ତୁରିରଙ୍ଗନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଗତ ଶୁକ୍ରବାର ଦିନ ଏହି କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚିଠାକୁ ମନ୍ତ୍ରୀ ନିଶଙ୍କଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଚିଠା ଅନୁଯାୟୀ, ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡିକରେ ଛାତ୍ରଛାତ୍ରୀ ହିନ୍ଦୀ ଏବଂ ଇଂରାଜୀ ସମେତ ଅନ୍ୟ ଏକ ଆଧୁନିକ ଭାରତୀୟ ଭାଷା (ଏମ୍‌ଆଇଏଲ୍‌) ଶିକ୍ଷାଲାଭ କରିବେ। ଅଣ ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡିକରେ ଛାତ୍ରଛାତ୍ରୀମାନେ ହିନ୍ଦୀ ସହିତ ଗୋଟିଏ ଆଞ୍ଚଳିକ ଭାଷା ଏବଂ ଇଂରାଜୀ ଭାଷା ଶିକ୍ଷା ଗ୍ରହଣ କରିବେ।

ଏହି ପ୍ରସ୍ତାବ ବିଷୟ ଜଣାପଡ଼ିବା ପରେ, ଅଣ ହିନ୍ଦୀ ରାଜ୍ୟର ନେତା ଏବଂ ବିରୋଧୀ ଦଳର ନେତାମାନେ ପ୍ରସ୍ତାବିତ ଜାତୀୟ ଶିକ୍ଷା ନୀତିରେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରାଯିବାକୁ ନେଇ ପ୍ରବଳ ପ୍ରତିବାଦ କରିଛନ୍ତି। ନିର୍ଦିଷ୍ଟ ଭାବେ ଦକ୍ଷିଣ ଭାରତର ନେତାମାନେ ଏହାକୁ ପ୍ରବଳ ବିରୋଧ କରି ସରକାରଙ୍କୁ ଘେରିଛନ୍ତି। ଡିଏମକେ ମୁଖ୍ୟ ଏମ. କେ. ଷ୍ଟାଲିନ୍‌ ସରକାରଙ୍କ ଏହି ପ୍ରସ୍ତାବକୁ ଦୃଢ଼ ପ୍ରତିବାଦ କରି କହିଛନ୍ତି, ତିନି ଭାଷା ସୂତ୍ର ଦେଶକୁ ବିଭାଜନ କରିବ। ତାମିଲନାଡ଼ୁରେ ହୋଇଥିବା ହିନ୍ଦୀ ବିରୋଧୀ ଆନ୍ଦୋଳନକୁ ସ୍ମରଣ କରାଇ ଷ୍ଟାଲିନ୍‌ କହିଛନ୍ତି, ୧୯୬୮ଠାରୁ ରାଜ୍ୟରେ ଦୁଇଟି ଭାଷାକୁ ଅନୁସରଣ କରାଯାଇ ତାମିଲ ଏବଂ ଇଂରାଜୀ ଶିକ୍ଷା ଦିଆଯାଇଆସୁଛି। ହିନ୍ଦୀ ଭାଷାକୁ ଲଦି ଦେଲେ ଡିଏମ୍‌କେ ସହ୍ୟ କରିବ ନାହିଁ ବୋଲି ଷ୍ଟାଲିନ କହିଛନ୍ତି। ସେହିଭଳି ତାମିଲ ଅଭିନେତା ତଥା ମକ୍କଲ ନିଧି ମୟମ୍‌ ନେତା କମଲ ହାସନ କହିଛନ୍ତି, ହିନ୍ଦୀ ଭାଷାକୁ ଲଦି ଦିଆଯିବା ଉଚିତ ନୁହଁ। ଆମେ ଯଦି ଏହାକୁ ପସନ୍ଦ କରୁ ନାହୁଁ ତେବେ ଆମକୁ ବାଧ୍ୟ କରାନଯାଉ ବୋଲି ହାସନ୍‌ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ ମଧ୍ୟ ଅନୁରୂପ ଭାବେ ଏହାକୁ ବିରୋଧ କରି କହିଛନ୍ତି ତିନି ଭାଷା ସୂତ୍ର ଆଧାରରେ ହିନ୍ଦୀକୁ ଅନ୍ୟ ଉପରେ ଲଦି ଦିଆଯିବା ଉଚିତ ନୁହଁ। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ପି ଚିଦମ୍ବରମ ମଧ୍ୟ ଏହାକୁ ବିରୋଧ କରି କହିଛନ୍ତି, ବିଜେପିର ଅସଲ ଚେହରା ପଦାକୁ ଆସିଛି। କଂଗ୍ରେସ ନେତା ଶିଶୀ ଥରୁର କହିଛନ୍ତି, ତିନି ଭାଷା ସୂତ୍ରକୁ ପ୍ରତ୍ୟାଖ୍ୟାନ କରିଦେବା ସମସ୍ୟାର ସମାଧାନ ନୁହଁ। ଦକ୍ଷିଣ ଭାରତରେ ଅଧିକାଂଶ ଲୋକେ ହିନ୍ଦୀକୁ ଦ୍ବିତୀୟ ଭାଷା ଭାବେ ଶିଖିଥାନ୍ତି, କିନ୍ତୁ ଉତ୍ତର ଭାରତର ଲୋକେ ମାଲାୟଲମ କିମ୍ବା ତାମିଲ ଶିଖିନଥାନ୍ତି। ମହାରଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ଚେତାବନୀ ଦେଇଛି, ହିନ୍ଦୀ ମହାରଷ୍ଟ୍ରର ମାତୃଭାଷା ନୁହଁ, ତେଣୁ ହିନ୍ଦୀ ପଢିବା ପାଇଁ ବାଧ୍ୟ କରାନଯାଉ। ସେହିଭଳି ସିପିଏମ୍‌ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରି କୁହାଯାଇଛି, ତିନି ଭାଷା ସୂତ୍ର ବାଧ୍ୟ କରାଯିବା ଦେଶର ଏକତା ପାଇଁ ହାନିକାରକ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର