ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ଆଜି ତ୍ରୟୋଦଶ ଦିବସରେ ବି ବିରୋଧୀ ସାଂସଦମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିରୋଧୀ ଦଳ ନେତାମାନେ ବିହାର ଏସ୍ଆଇ‌ଆର୍‌ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଦାବି କରିଥିବା ବେ‌ଳେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୃହକୁ ସୂଚନା ଦେଇଛନ୍ତି ଯେ ଏସ୍‌ଆଇଆର୍‌ ପ୍ରସଙ୍ଗ ଏବେ ସୁପ୍ରିମ କୋର୍ଟଙ୍କ ପାଖରେ  ବିଚାରାଧୀନ ଥିବାବେଳେ ଏହି ପ୍ରସଙ୍ଗରେ ସଂସଦରେ କୌଣସି ଆଲୋଚନା ହୋଇପାରିବନି। ତେବେ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ବି ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ୨ଟି ବିଲ୍‌ ଗୃହୀତ ହୋଇଛି। ଲୋକସଭାରେ ଆଜି ମର୍ଚାଣ୍ଟ ସିପିଂ ବିଲ୍‌ ଗୃହୀତ ହୋଇଛି। ଖୁବ୍‌ କମ୍‌ ସମୟର ଆଲୋଚନା ‌ପରେ ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ଅନ୍ୟପକ୍ଷେ ରାଜ୍ୟସଭାରେ ଆଜି କ୍ୟାରେଜ୍‌ ଅଫ୍‌ ଗୁଡ୍‌ସ ବାଏ ସି ବିଲ୍‌, ୨୦୨୫ ଗୃହୀତ ହୋଇଛି।  ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ସତ୍ତ୍ବେ ରାଜ୍ୟସଭାରେ ଆଜି ଏହି ବିଲ୍‌ ଗୃହୀତ ହୋଇଛି।  ଏହାପରେ ଉଭୟ ଗୃହରେ ବିରୋଧୀଙ୍କ ଏସ୍ଆଇଆର୍‌ ଆଲୋଚନା ଦାବିରେ ପ୍ରବଳ ହୋହଲ୍ଲା ହେବାରୁ ଗୃହକୁ  ଆସନ୍ତାକାଲି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।  
ଇତିମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ଏସ୍‌ଆଇଆର୍‌  ଆଲୋଚନା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ରାଜ୍ୟସଭାର ବିରୋଧୀ ଦଳ ନେତା କହିଛନ୍ତି, ‘ବିରୋଧୀ ସାଂସଦମାନେ ଚଳିତ ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ଏସ୍‌ଆଇଆର ପ୍ରସଙ୍ଗ‌ରେ ଆଲୋଚନା ଦାବି କରିଛନ୍ତି। କିନ୍ତୁ ସେମାନଙ୍କୁ ଅନୁମତି ମିଳିନାହିଁ।’