ଜାଲିଆନାଓ୍ଵାଲା ଟ୍ରଷ୍ଟ୍‍ରୁ କଂଗ୍ରେସ ମୁଖ୍ୟଙ୍କୁ ହଟାଇବା ବିଲ୍‌ ରାଜ୍ୟସଭାରେ ଅନୁମୋଦିତ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଜ୍ୟସଭା ଜାଲିଆନାଓ୍ଵାଲା ବାଗ ଜାତୀୟ ସ୍ମାରକୀ (ସଂଶୋଧନ) ବିଲ୍‌ ୨୦୧୯ ଅନୁମୋଦନ କରିବା ପରେ ଏହି ସ୍ମାରକୀକୁ ଚଳାଉଥିବା ଟ୍ରଷ୍ଟର ସ୍ଥାୟୀ ସଭ୍ୟ ପଦରୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ହଟାଇବା ନିମନ୍ତେ ପଥ ପ୍ରସ୍ତୁତ ହୋଇଯାଇଛି।

ପୂର୍ବରୁ ଲୋକସଭାରେ ଅନୁମୋଦିତ ହୋଇଥିବା ଏହି ବିଲ୍‌ ରାଜ୍ୟସଭାରେ ବାଚନିକ ଭୋଟ୍‌ରେ ଅନୁମୋଦନ ଲାଭ କରିଛି। କଂଗ୍ରେସ ଏବଂ ବାମପନ୍ଥୀଙ୍କ ବ୍ୟତୀତ ଅନ୍ୟ ସବୁ ଦଳର ସାଂସଦମାନେ ଏହାକୁ ସମର୍ଥନ କରିଥିଲେ।

ବିତର୍କରେ ଭୂମିକା ନେଇ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଲେ: ଜାଲିଆନାଓ୍ଵାଲା ବାଗରେ ହଜାର ହଜାର ଲୋକ ଆତ୍ମବଳି ଦେଲେ। ଟୋପାଏ ରକ୍ତପାତ ବିନା ଆମେ ସ୍ୱାଧୀନତା ଲାଭ କରିଛୁ ବୋଲି ଭବିଷ୍ୟତରେ ଯେମିତି କୁହା ନ ଯାଏ। ବିନା ଖଡ୍ଗ ଓ ଢାଲରେ ସ୍ୱାଧୀନତା ଲାଭ କରିଛୁ ବୋଲି କଦାପି କହିବା ନାହିଁ। ହଜାର ହଜାର ଲୋକ ଗୁଳି ଆଗରେ ଛାତି ପାତି ସେମାନଙ୍କ ରକ୍ତପାତ କରାଇବା ପରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା।

ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ କହିଲେ, ପୂର୍ବରୁ ଟ୍ରଷ୍ଟ୍‍ରେ ଲାଗିଥିବା ରାଜନୈତିକ ରଙ୍ଗ ଲିଭାଇଦେବ।

ସମ୍ବନ୍ଧିତ ଖବର