ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକ୍ରେ ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେଇ ଅନୁଷ୍ଠାନ ଏବଂ ଦକ୍ଷତା ବିକାଶ ଦିଗରେ ଭାରତ ନେତୃତ୍ୱାଧୀନ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଷଷ୍ଠ ବିମ୍ଷ୍ଟେକ୍ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର ମଲ୍ଲି ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ୍) ଶିଖର ସମ୍ମିଳନୀରେ ଯୋଗଦେଇ ମୋଦୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା, ସ୍ଥାୟୀ ସାମୁଦ୍ରିକ ପରିବହନ, ପାରମ୍ପରିକ ଔଷଧ ଏବଂ କୃଷିରେ ଗବେଷଣା ଓ ପ୍ରଶିକ୍ଷଣ ଉପରେ ଭାରତରେ ବିମ୍ଷ୍ଟେକ୍ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସେ ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ - ବୋଧି (ମାନବ ସମ୍ବଳ ଭିତ୍ତିଭୂମିର ସଂଗଠିତ ବିକାଶ ପାଇଁ ବିମଷ୍ଟେକ୍) ଯାହା ଅଧୀନରେ ପେସାଦାର, ଛାତ୍ର, ଗବେଷକ, କୂଟନୀତିଜ୍ଞ ଏବଂ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଏବଂ ବୃତ୍ତି ପ୍ରଦାନ କରାଯିବ ।
ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ଆଞ୍ଚଳିକ ଆବଶ୍ୟକତା ଆକଳନ କରିବା ପାଇଁ ଭାରତ ଦ୍ୱାରା ଏକ ପାଇଲଟ୍ ଅଧ୍ୟୟନ ଏବଂ ଏହି ଅଞ୍ଚଳରେ କର୍କଟ ଚିକିତ୍ସା ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ । ବୃହତ ଆଞ୍ଚଳିକ ଅର୍ଥନୈତିକ ସମନ୍ୱୟ ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ବିମ୍ଷ୍ଟେକ୍ ଚାମ୍ବର ଅଫ୍ କମର୍ସ ପ୍ରତିଷ୍ଠା କରିବା ଏବଂ ସଂଗଠିତ କରିବାକୁ ପ୍ରସ୍ତାବ ଦେଇଥିଲେ। ମୋଦୀ ଆଜି ବିମଷ୍ଟେକ୍ ସମ୍ମିଳନୀରେ ଯୋଗ ଦେବାପରେ ଶ୍ରୀଲଙ୍କା ଗସ୍ତରେ ବାହାରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ୨ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ମୋଦୀ ଅନେକ ବରିଷ୍ଠ ପ୍ରତିନିଧି ଏବଂ ରାଜନେତାଙ୍କୁ ଭେଟିବେ।