ଶ୍ରୀନଗର: ଶନିବାର ସନ୍ଧ୍ୟାରେ ଉତ୍ତର କଶ୍ମୀରର ବାନ୍ଦିପୁରା ଜିଲ୍ଲା ଅନ୍ତର୍ଗତ ଚନ୍ଦେରଗୀର ଗାଁରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରପକ୍ଷେ, ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ବାୟୁସେନାର ଜଣେ ଗରୁଡ଼ କମାଣ୍ଡୋ ସହିଦ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ଜାକିର ରେହମାନ୍‌ ଲଖଭିର ପୁତୁରା ରହିଥିବା ରହିଥିବା ଜଣାଯାଇଛି। ଶୁକ୍ରବାର ଜାକୁରାରେ ଅଜଣା ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ ଅଧିକାରୀ ସହିଦ ହେବା ପରେ ଆଜିର ଘଟଣା ସୁରକ୍ଷା କର୍ମୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଅପରପକ୍ଷେ, ସଂପୃକ୍ତ ଅଞ୍ଚଳରେ ଛପି ରହିଥିବା ଆଉ କିଥି ଆତଙ୍କବାଦୀଙ୍କୁ କାବୁ କରିବା ଲାଗି ଅଦ୍ୟାବଧି ରାଜ୍ୟ ପୁଲିସ, କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ସେନାବାହିନୀ ପକ୍ଷରୁ ମିଳିତ ଚଢ଼ଉ ଜାରି ରହିଛି ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏସ୍‌ପି ବୈଦ୍ୟ ସୂଚନା ଦେଇଛନ୍ତି।

Advertisment

ଚନ୍ଦେରଗୀର ଗାଁରେ କିଛି ଆତଙ୍କବାଦୀ ଛପି ରହିଥିବା ଗୁଇନ୍ଦା ସୂଚନା ପାଇ ସୁରକ୍ଷା କର୍ମୀମାନେ ସାରା ଇଲାକାକୁ ଘେରାବନ୍ଦୀ କରିଥିଲେ। ପରେ ଯବାନମାନେ ତଲାସ ଆରମ୍ଭ କରିବା ବେୠଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଗରୁଡ଼ଡ କମାଣ୍ଡୋ ସହିଦ ହୋଇଥିବା ବେଳେ ଯବାନମାନଙ୍କ ସମୟୋଚିତ ଜବାବୀ ଗୁଳିରେ ଲାଖବିର ପୁତୁରା ସମେତ ୬ ଜଣ ଆତଙ୍କବାଦୀ ଟଳିପଡ଼ିଥିଲେ। ନିହତ ଅନ୍ୟ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ବେଳେ ଏହି ଗୁଳି ବିନିମୟରେ ଅନ୍ୟ ଜଣେ ଗରୁଡ଼ କମାଣ୍ଡୋ ଆହତ ହୋଇଥିବା ଜଣାଯାଇଛି।