ବିପିନଙ୍କ ବୀରତା କାହାଣୀ ଜାଣିଲେ ଆପଣ ବି ଗର୍ବ ଅନୁଭବ କରିବେ, ଦେଖନ୍ତୁ ଭିଡିଓ 

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ ବିପିନ ରାୱତ୍ । ସେନାରେ ଦୀର୍ଘ ୪୦ ବର୍ଷର କ୍ୟାରିଅର । ଗୁର୍ଖା ରାଇଫଲ୍ସରୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ବୁଧବାର ତାମିଲନାଡୁର କୁନୁର ଜଙ୍ଗଲରେ ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାୱତ୍ । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ରାୱତଙ୍କ ସହିତ ତାଙ୍କ ପତ୍ନୀ ମଧୁଲିକା ଏବଂ ସେନାର ୧୧ ଜଣ ଅଫିସର ଥିଲେ । ଜେନେରାଲ ବିପିନ ରାୱତ୍ ୨୦୧୬ ଡିସେମ୍ବର ୩୧ ତାରିଖରୁ ୨୦୧୯ ଡିସେମ୍ବର ୩୧ ଯାଏ  ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ୨୦୨୦ ଜାନୁଆରୀ ୧ ତାରିଖରୁ ସେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍( ସିଡିଏସ୍) ବା ସେନାର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ସିଡିଏସ୍ ଦାୟିତ୍ୱ ଗ୍ରହଣ କରିବା ପରେ ସେନାକୁ ଇଂଟିଗ୍ରେଟେଡ୍ ଥିଏଟର କମାଣ୍ଡଠାରୁ ଆଧୁନିକୀକରଣ କରିବାକୁ ରାୱତ୍ ପ୍ରୟାସ ଚଳାଇଥିଲେ ।

୧୯୫୮ ମସିହା ମାର୍ଚ୍ଚ ୧୬ ତାରିଖରେ ଜେନେରାଲ ବିପିନ ଲକ୍ଷ୍ମଣ ସିଂହ ରାୱତ ଉତ୍ତରାଖଣ୍ଡର ପୌରିରେ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାପା ଲେଫ୍ଟନାଂଟ୍ ଜେନେରାଲ ଲକ୍ଷ୍ମଣ ସିଂହ ରାୱତ୍ ଥିଲେ ଜଣେ ସେନା ଅଫିସର । ୱେଲିଙ୍ଗଟନସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରୁ ଗ୍ରାଜୁଏସନ ପରେ ୧୯୭୮ ମସିହାରେ ୧୧-ଗୋର୍ଖା ରାଇଫଲ୍ସର ପଂଚମ ବାଟାଲିଅନରେ ଯୋଗ ଦେଇଥିଲେ ରାୱତ୍ । ପରବର୍ତୀ ସମୟରେ ସେ ଏହି ବାଟାଲିୟନର ନେତୃତ୍ୱ ନେଇଥିଲେ । ପରେ ବ୍ରିଗେଡିୟର, ମେଜର ଜେନେରାଲ, ଲେଫ୍ଟନାଂଟ୍ ଜେନେରାଲ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ।


୨୦୧୬ ସେପ୍ଟେମ୍ବର ୧ ତାରିଖରେ ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଏବଂ ସେହିବର୍ଷ ଡିସେମ୍ବର ୩୧ ତାରିଖରେ ୨୬ ତମ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ରାୱତ୍ । ଏହି ଦାୟିତ୍ବକୁ ସଫଳତାର ସହିତ ୩ ବର୍ଷ ଦାୟିତ୍ୱ ତୁଲାଇବା ପରେ ୨୦୨୦ ଜାନୁଆରୀ ୧ ତାରିଖରେ ଜେନେରାଲ ବିପିନ ରାୱତଙ୍କୁ ସରକାର ପ୍ରଥମ ସିଡିଏସ୍ ଭାବେ ନିଯୁକ୍ତ କରିଥିଲେ । ସେନାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ ଆଦି ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର