ବିମାନବନ୍ଦରରେ ବାୟୋମେଟ୍ରିକ ଡିଜିଟାଲ ବ୍ୟବସ୍ଥା

‘ଡିଜି ଯାତ୍ରା’ ନୂତନ ନୀତି ଉନ୍ମୋଚନ କଲେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ‘ଡିଜି ଯାତ୍ରା’ର ନୂତନ ନୀତି ଉନ୍ମୋଚନ କରିଛନ୍ତି। ଡିଜିଯାତ୍ରା ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ ଏକ ବାୟୋମେଟ୍ରିକ ଭିତ୍ତିକ ଡିଜିଟାଲ ପ୍ରକ୍ରିୟା। ୨୦୧୯ ଫେବ୍ରୁଆରୀ ଶେଷ ସୁଦ୍ଧା ଡିଜିଯାତ୍ରା ସେଣ୍ଟ୍ରାଲ ପ୍ଲାଟଫର୍ମ କାର୍ଯ୍ୟକାରୀ ହେବ ବୋଲି ଆଜିର କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ୨୦୧୯ ଫେବୃଆରୀ ସୁଦ୍ଧା ବେଙ୍ଗାଲୁରୁ ଏବ˚ ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରୀକ୍ଷାମୂଳକ ଭାବେ ଏହାର ବ୍ୟବହାର ଆରମ୍ଭ ହେବ। ୨୦୧୯ ଏପ୍ରିଲ ସୁଦ୍ଧା କୋଲକାତା, ବାରଣାସୀ, ପୁନେ ଏବ˚ ବିଜୟୱାଡ଼ାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଲକ୍ଷ୍ୟ ରଖିଛନ୍ତି।

ଏହି ଅବସରରେ ମନ୍ତ୍ରୀ ସୁରେଶ ପ୍ରଭୁ କହିଲେ ଯେ, ବିମାନବନ୍ଦର ଗୁଡ଼ିକରେ ଏକକ ଡିଜିଟାଲ ପ୍ରକ୍ରିୟା ତଥା ପରିବେଶ ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରାଳୟ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛି। ବିକାଶ ପାଇଁ ବିମାନବନ୍ଦର ଅପରେଟର, ବିମାନ କମ୍ପାନି ଏବ˚ ଉଦ୍ୟୋଗ ପ୍ରତିନିଧିମାନଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ ହୋଇଛି। ଡିଜିଯାତ୍ରା ଭବିଷ୍ୟତ ପାଇଁ ବିମାନବନ୍ଦର ଗୁଡ଼ିକରେ ଅତ୍ୟାଧୁନିକ ସେବା ପ୍ରଦାନରେ ସହାୟକ ହୋଇପାରିବ। ସେହିପରି ଡିଜିଯାତ୍ରା ବିଷୟରେ ସୂଚନା ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ ଯେ ଏହା ମୁଖମଣ୍ତଳ ଦ୍ବାରା ପରିଚୟ ଭିତ୍ତିକ ଯାତ୍ରୀଙ୍କୁ ଅନୁମତି ପ୍ରଦାନ ପ୍ରକ୍ରିୟା, ଯାହାକି ବିଶ୍ବସ୍ତରରେ ପ୍ରଚଳିତ। ବିମାନବନ୍ଦରରେ ପ୍ରବେଶ ଠାରୁ ଆରମ୍ଭ କରି ବିମାନରେ ବସିବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ବାଧାବିହୀନ ଅଭିଜ୍ଞତା ଦେବାକୁ ଡିଜିଯାତ୍ରା ଏକ କେନ୍ଦ୍ରୀକୃତ ପ˚ଜିକୃତ ପଦ୍ଧତି ହେବ।

ମନ୍ତ୍ରାଳୟ ସଚିବ ରାଜୀବ ନୟନ ଚୌବେ କହିଥିଲେ ଯେ, ବିଗତ ୫୦ ମାସ ଧରି ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଯାତ୍ରୀଙ୍କ ସ˚ଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯାତ୍ରୀମାନେ ବିମାନ ବନ୍ଦରରେ ଅଧିକ ସୁବିଧା ଚାହୁଛନ୍ତି ଏବ˚ ସର୍ବଦା ବିମାନ ଯାତ୍ରାରେ ନିରାପତ୍ତା ଏକ ଉଦ୍‌ବେଗର ବିଷୟ ହୋଇଛି। ଜଣେ ଯାତ୍ରୀଙ୍କ ବାଧାବିହୀନ ବିମାନଯାତ୍ରାରେ ଅନେକ ପକ୍ଷ ଜଡ଼ିତ ଥିବାରୁ ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା କେବଳ ଟେକ୍ନୋଲୋଜି ଦ୍ବାରା ସମ୍ଭବ। ତେଣୁ ଏହି ଲକ୍ଷ୍ୟ ପୂରଣ ପାଇଁ ‘ଡିଜିଯାତ୍ରା’ର ପରିକଳ୍ପନା କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର