ଅହମଦାବାଦ: ଗୁରୁବାର ରାତିରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ୭୦୭ଜଣ ଶିଶୁ ଜନ୍ମ ଗ୍ରହଣ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ସାମୁଦ୍ରିକ ବାତ୍ୟାଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ ଜନସ୍ଥାନାନ୍ତରଣରେ ଆସିଥିବା ଆସନ୍ନପ୍ରସବା ଅନ୍ତଃସତ୍ତ୍ବା ମହିଳାମାନେ ଏହି ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି।
ସୂଚନାଯୋଗ୍ୟ, ସତର୍କତାମୂଳକ ପଦକ୍ଷେପସ୍ବରୂପ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ବାତ୍ୟା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଗଛବୃଚ୍ଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି, ଘରଦ୍ବାର ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଥିଲେ ବି କାହାରି ମୃତ୍ୟୁ ଘଟିନାହିଁ।
ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଦ୍ବାରା ବିଶେଷ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିବା ୮ଟି ଜିଲ୍ଲାରୁ ୧,୧୭୧ ଅନ୍ତଃସତ୍ତ୍ବା ମହିଳାଙ୍କ ମଧ୍ୟରୁ ପ୍ରଶାସନ ପ୍ରାୟ ୧,୧୫୨ଜଣଙ୍କୁ ସ୍ଥାନାନ୍ତରଣ କରିଥିଲା। ବାତ୍ୟା ଦିନ ସେମାନଙ୍କ ମଧ୍ୟରୁ ୭୦୭ଜଣ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା ଏବଂ ସେମାନେ ସନ୍ତାନ ଜନ୍ମ କରିଥିଲେ ବୋଲି ସରକାରୀ ବିବୃତିରୁ ଜଣାପଡ଼ିଛି।
ସବୁଠୁ ଅଧିକ ସଂଖ୍ୟକ ଅନ୍ତଃସତ୍ତ୍ବା ମହିଳା ସ୍ଥାନାନ୍ତରିତ ହୋଇଥିଲେ କଚ୍ ଜିଲ୍ଲାରୁ। ସେମାନଙ୍କ ମଧ୍ୟରୁ ୩୪୮ଜଣ ସନ୍ତାନ ପ୍ରସବ କରିଛନ୍ତି। ସେହିପରି, ରାଜକୋଟ ଜିଲ୍ଲାର ୧୦୦ ଜଣ ଓ ଦେବଭୂମି ଦ୍ବାରକାର ୯୩ଜଣ ଅନ୍ତଃସତ୍ତ୍ବା ମହିଳା ମଧ୍ୟ ବାତ୍ୟା ସମୟରେ ସନ୍ତାନ ପ୍ରସବ କରିଛନ୍ତି
ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଗୁଜରାଟ ହସ୍ପିଟାଲ୍ ଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଉପରୋକ୍ତ ୭୦୭ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ଏଥିପାଇଁ ୩୦୨ଟି ସରକାରୀ ଗାଡ଼ି ଓ ୨୦୨ଟି ଆମ୍ବୁଲାନ୍ସ୍ ଦିନରାତି କାମରେ ଲାଗିଥିଲା। ପ୍ରତି ଗାଡ଼ିରେ ଥିଲେ ଡାକ୍ତରଖାନା କର୍ମଚାରୀ।