ଫିଲ୍ଡ ମାର୍ଶାଲ୍‌ କେଏମ୍‌ କାରିଆପା ଭାରତ ରତ୍ନର ହକ୍‌ଦାର : ବିପିନ ରାଓ୍ଵତ

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍‌ ତଥା ଫିଲ୍ଡ ମାର୍ଶାଲ କେଏମ୍‌ କାରିଆପା ଭାରତ ରତ୍ନର ହକ୍‌ଦାର। ସେ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ବୋଲି ଆଜି ସେନାମୁଖ୍ୟ ବିପିନ୍‌ ରାଓ୍ଵତ କହିଛନ୍ତି। ଖୁବ୍‌ଶୀଘ୍ର ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ରାଓ୍ଵତ କହିଛନ୍ତି। ଆଜି କର୍ଣ୍ଣାଟକର ଗୋନିକୋପାଲ୍‌ ସ୍ଥିତ କାବେରୀ କଲେଜରେ ମାର୍ଶାଲ କାରିଆପା ଏବଂ ଜେନେରାଲ କେଏସ ଥିମାୟାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ରାଓ୍ଵତ ଏହି ମନ୍ତବ୍ୟ ରଖିଛନ୍ତି। କାରିଆପାଙ୍କ ଜନ୍ମ ସ୍ଥାନ କୋଡ଼ାଗୁ ଜିଲ୍ଲାର ଅନ୍ୟ ଜଣେ କର୍ଣ୍ଣେଲ କେସି ସୁଭୟ ମଧ୍ୟ କାରିଆପାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। କୋଡ଼ାଗୁ ବୀର ସୈନିକଙ୍କ ମାଟି ଏବଂ ଏହି ଦୁଇ ବୀର ପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିବା ହେତୁ ସେ ନିଜକୁ ଗର୍ବିତ ଅନୁଭବ କରିଥିବା ରାଓ୍ଵତ କହିଛନ୍ତି। ସେନାର ପ୍ରଥମ କମାଣ୍ଡର ଇନ୍‌ ଚିଫ୍‌ କାରିଆପାଙ୍କୁ ଏପ୍ରିଲ ୨୮, ୧୯୮୬ରେ ଫିଲ୍ଡ ମାର୍ଶାଲ୍‌ ର‍୍ୟାଙ୍କ୍‌ରେ ଅଧିଷ୍ଠିତ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନୀଙ୍କ ବିରୋଧରେ ହୋଇଥିବା ବର୍ମା ଅଭିଯାନରେ ତାଙ୍କର ପ୍ରମୁଖ ଭୂମିକା ପାଇଁ ସେ ଓବିଇ (ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର) ସମ୍ମାନ ହାସଲ କରିଥିଲେ। ଦୀର୍ଘ ୩୦ ବର୍ଷର କ୍ୟାରିୟର ପରେ କାରିଆପା ୧୯୫୩ରେ ସେନାବାହିନୀରୁ ଅବସର ନେଇଥିଲେ। ଏହାପରେ ସେ ୧୯୫୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ ପାଇଁ ହାଇକମିସନର ରହିଥିଲେ। ୧୯୯୩ରେ ତାଙ୍କର ୯୪ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର