ନୂଆଦିଲ୍ଲୀ: ଏକାଠି ଆରପାରିକୁ ଚାଲିଗଲେ, ଏକାଠି ଜୁଇରେ ଜଳିଲେ । ଏକାସାଙ୍ଗରେ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଶେଷକୃତ୍ୟ । ଗୋଟିଏ ଜୁଇରେ ଏକାଠି ଜଳିଲେ ପତି ଆଉ ପତ୍ନୀ । ପଞ୍ଚଭୂତରେ ପାର୍ଥିବ ଶରୀର ବିଲୀନ ହେବା ପରେ ବିଦାୟ ନେଇଛନ୍ତି ବୀରଯୋଦ୍ଧା ଓ ବୀରାଙ୍ଗନା । ଆଉ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି କୋଟି କୋଟି ଭାରତୀୟ । ଆକାଶର ନିଆଁରୁ ମାଟିର ନିଆଁ ସବୁଠି ଏକାଠି ଥିଲେ ସେମାନେ । ହେଲିକପ୍ଟରର ହୃଦୟଥରା ଦୁର୍ଘଟଣାରୁ ଜୁଇରେ ଜଳିବା ଯାଏଁ ହାତଧରାଧରି ହୋଇ ରହିଛନ୍ତି ସେମାନେ । ସମୟ ସିନା ସେମାନଙ୍କ ଆୟୁଷକୁ କମାଇ ଦେଇଛି ହେଲେ ଭାଗ୍ୟ ସେମାନଙ୍କ ସମ୍ପର୍କ ଆଗରେ ମଥାନତ କରିଛି । ଏଇ ଦେଖୁ ନାହାନ୍ତି କେମିତି ବୀର ଭଳି ସେମାନଙ୍କ ଜୁଇର ନିଆଁ ବି ଜଳୁଛି ଦାଉ ଦାଉ ହୋଇ ।ସତରେ ସମସ୍ତଙ୍କ ଭାଗ୍ୟରେ ନଥାଏ ସାଙ୍ଗ ହୋଇ ସେପାରିକୁ ଚାଲିଯିବାର ।
ସାଙ୍ଗ ହୋଇ ସିନା ଆସିନଥିଲେ କିନ୍ତୁ ଯେବେଠୁ ସେମାନେ ସଂସାର ଆରମ୍ଭ କରିଥିବେ ସେବେଠୁ ସାଙ୍ଗ ହୋଇ ବଞ୍ଚିବାର, ସାଙ୍ଗହୋଇ ଜିଇଁବାର ସଙ୍କଳ୍ପ ନେଇଥିବେ । ଆଉ ଏକାଠି ଆଖିବୁଜିବାର କଥା ବି କେବେ ନା କେବେ ସେମାନେ ହୋଇଥିବେ । ଆଉ ଦେଖନ୍ତୁ ଏଇ ଜୁଇରେ କେମିତି ସାଙ୍ଗରେ ଜଳୁଛନ୍ତି ଦୁଇ ଜୀବନସାଥୀ । ଏହାକୁ ଭାଗ୍ୟ କୁହାଯିବନି ତ ଆଉ କଣ…? ପଞ୍ଚଭୂତରେ ଲୀନ ହୋଇଛନ୍ତି ସିଡିଏସ ବିପିନ ରାୱ ଏବଂ ତାଙ୍କ ପତ୍ନୀ ମଧୁଲିକା । ଦୁଇ ଝିଅ ବାପାମାଆଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଛନ୍ତି । ଦିଲ୍ଲୀ କ୍ୟାଂଟ ବରାର ସ୍କେ୍ୱାୟାରରେ ସିଡିଏସ ବିପିନ ରାୱତ ଓ ପତ୍ନୀ ମଧୁଲିକା ରାୱତଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଶେଷ ସମ୍ମାନ ସ୍ୱରୁପ ୧୭ ତୋପ ସଲାମି ସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସିଡିଏସ ବିପିନ ରାୱତଙ୍କୁ ବିଦାୟ ଦେଇଛି ଦେଶ ।
ବିପିନ ରାୱତଙ୍କ ଅନ୍ତିମ ଯାତ୍ରାରେ ଶହ ଶହ ଲୋକ ପ୍ରତି ଛକରେ ଫୁଲ ପକାଇ ତାଙ୍କୁ ବିଦାୟ ଦେଇଛନ୍ତି । ଆଉ ଜଣେ ବୀର ଯୋଦ୍ଧାଙ୍କୁ ଅନ୍ତିମ ବିଦାୟ ଦେଇ ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ ଭରିଛନ୍ତି ଦେଶବାସୀ ।