ଆଲୋଚନା ବିଫଳ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ: ବିପିନ ରାଵତ

ନୂଆଦିଲ୍ଲୀ: ଲଦାଖରେ ଚୀନ ସେନାର ସୀମା ଲଂଘନର ଜବାବ ଦେବାକୁ ଆମ ପାଖରେ ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହୋଇ ରହିଛି। ତେବେ ସୀମାରେ ଉତ୍ତେଜନା ହ୍ରାସ ସକାଶେ ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶର ଜାରି ରହିଥିବା ବିଭିନ୍ନ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନା ବିଫଳ ହେଲା ପରେ ହିଁ ସେପରି ସାମରିକ ପଦକ୍ଷେପ ଆପଣାଇବାକୁ ହେବ ବୋଲି ଭାରତର ସିଡିଏସ୍‌ ଜେନେରାଲ ବିପିନ ରାଵତ କହିଛନ୍ତି। ଶ୍ରୀ ରା​ଵତଙ୍କ କହିବା ଅନୁସାରେ, ପ୍ରକୃତ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥାରେ ରହିଥିବା ଭିନ୍ନ ଭିନ୍ନ ଧାରଣା ଯୋଗୁଁ ଏପରି ସୀମାଲଂଘନ ପରି ଅଘଟଣ ଦେଖିବାକୁ ମିଳୁଛି।

ତେବେ ଏଭଳି ସୀମାଲଂଘନ ଯେପରି ଅନୁପ୍ରବେଶରେ ପରିଣତ ନହୁଏ, ସେଥିପ୍ରତି ସଜାଗ ରହିବା ପାଇଁ ଆବଶ୍ୟକ ନିରୀକ୍ଷଣ ଜାରି ରଖିବାକୁ ପ୍ରତିରକ୍ଷା ସେବାକୁ ଦାୟିତ୍ବ ଦିଆଯାଇଛି। ଏପରିକି ସେଭଳି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମଧ୍ୟ ସରକାର ଚେଷ୍ଟିତ ଅଛନ୍ତି। ଲଦାଖରେ ଚୀନ ସେନା ସ୍ଥିତାବସ୍ଥା ବଜାୟ ରଖିବା ଲକ୍ଷ୍ୟ ହାସଲ ପାଇଁ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଜାତୀୟ ସୁରକ୍ଷା ସହ ଜଡ଼ିତ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ତର୍ଜମା ଚଳାଇଛନ୍ତି। ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ବିକଳ୍ପ ଆମ ପାଖରେ ମହଜୁଦ ଥାଇ ସୁଦ୍ଧା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଅପେକ୍ଷା କରାଯାଇଛି। ଯଦି ଆଲୋଚନାରୁ କିଛି ଅନୁକୂଳ ନିଷ୍କର୍ଷ ନବାହାରେ ତେବେ ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ଭାରତର ସାମରିକ ଅଭିଯାନ ପ୍ରଥମ ପସନ୍ଦ ହେବ ବୋଲି ଶ୍ରୀ ରାଵତ କହିଛନ୍ତି।

ସମ୍ବନ୍ଧିତ ଖବର