ସିଡିଏସ୍‌ ଭାବେ ଦାୟିତ୍ୱ ନେଲେ ରାୱତ, ରାଜନୀତିରୁ ଊର୍ଦ୍ଧ୍ବରେ ରହି ସେନା କାମ କରୁଛି

ସିଡିଏସ୍‌ ନିଯୁକ୍ତି ମାମଲାରେ କଂଗ୍ରେସର ୟୁଟର୍ଣ୍ଣ, ସିଡିଏସ୍‌କୁ ଐତିହାସିକ ନିଷ୍ପତ୍ତି କହିଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଦେଶର ପ୍ରଥମ ‘ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌’ (ସିଡିଏସ୍‌) ଭାବେ ଜେନେରାଲ୍‌ ବିପିନ ରାୱତ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ୍‌ ରାୱତଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଜେନେରାଲ ରାୱତ ଜଣେ ଦକ୍ଷ ଅଫିସର ଏବଂ ଦେଶର ସେବା କରିବା ପାଇଁ ତାଙ୍କ ପାଖରେ ପ୍ରବଳ ଆଗ୍ରହ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷେ, ସିଡିଏସ୍‌ ଭାବେ ଦାୟିତ୍ବ ନେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ଜେନେରାଲ୍‌ ରାୱତ ସେନା ବାହିନୀ ସର୍ବଦା ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି କାମ କରୁଛି ବୋଲି କହିଛନ୍ତି। ସେ ସିଡିଏସ୍‌ ଦାୟିତ୍ବ ନେବା ପରେ ତାଙ୍କ ମନ ହାଲୁକା ହୋଇଯାଇଛି ବୋଲି ସେ କହିଛନ୍ତି। ସେନା ସର୍ବଦା ସରକାରଙ୍କ ନିର୍ଦ୍ଦେଶକୁ ସର୍ବାଧିକ ଶୃଙ୍ଖଳାର ସହ ସଂପାଦନ କରିଆସୁଛି।

ସୂଚନାଯୋଗ୍ୟ, ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ରାୱତଙ୍କ ପ୍ରତିକ୍ରିୟାକୁ ନେଇ କଂଗ୍ରେସ ‌ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ତୀବ୍ର ବିରୋଧ କରିଥି‌ଲେ। ସେନାଧ୍ୟକ୍ଷ ରାଜନୀତି ନ କରି ନିଜ ଦାୟିତ୍ବ ସମ୍ଭାଳିବାକୁ କଂଗ୍ରେସ କହିଥିଲା। ମାତ୍ର, ଆଜି ସିଡିଏସ୍‌ ଭାବେ ଦାୟିତ୍ବ ନେବା ପରେ ଜେନେରାଲ୍‌ ରାୱତ ସ୍ପଷ୍ଟ କରିଦେଇଛନ୍ତି ଯେ ସେନା ସର୍ବଦା ରାଜନୀତିରୁ ଉପରେ ରହି କାମ କରୁଛି। ସ୍ଥଳ, ବାୟୁ ଓ ନୌ ବାହିନୀ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ସିଡିଏସ୍‌ ଏକ ଗୁରୁ ଦାୟିତ୍ବ ତୁଲାଇବ ବୋଲି ଜେନେରାଲ୍‌ ରାୱତ କହିଛନ୍ତି। ଅପରପକ୍ଷେ, ସିଡିଏସ୍‌ ନିଯୁକ୍ତିକୁ ନେଇ ପୂର୍ବରୁ କଂଗ୍ରେସ ଅନେକ ପ୍ରଶ୍ନ ଉଠାଇଥିବା ବେଳେ ଆଜି ଅଚାନକ ପୂର୍ବ ମତକୁ ବଦଳାଇ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛି। ସିଡିଏସ୍‌ ନିଯୁକ୍ତି କରି ସରକାର ଭୁଲ୍‌ ରାସ୍ତାରେ ପାଦ ଦେଇଛନ୍ତି ବୋଲି ପୂର୍ବରୁ କଂଗ୍ରେସ ସମାଲୋଚନା କରିଥିଲା।

ସିଡିଏସ୍‌ ନିଯୁକ୍ତି ମାମଲାରେ କଂଗ୍ରେସର ୟୁଟର୍ଣ୍ଣ

ସିଡିଏସ୍‌କୁ ଐତିହାସିକ ନିଷ୍ପତ୍ତି କହିଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଦେଶର ପ୍ରଥମ ‘ଚିଫ୍‌ ଅଫ୍‌ ଡିଫେ୍‌ନ୍ସ ଷ୍ଟାଫ୍‌’ ନିଯୁକ୍ତିକୁ ନେଇ ଦୁଇ ଜଣ ବଡ଼ କଂଗ୍ରେସ ନେତାଙ୍କ ବୟାନ ଦଳର ଅଡ଼ୁଆ ବଢ଼ାଇଛି। ଏଭଳି ସ୍ଥିତିରେ ଆଜି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଦେଶର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଦଳ ବିରୋଧ କରିବ ନାହିଁ। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ଏବଂ ମନିଷ ତିୱାରୀ ପୂର୍ବରୁ ସିଡିଏସ୍‌ ନିଯୁକ୍ତିକୁ ବିରୋଧ କରି ଦେଇଥିବା ବୟାନ ସହ ଦଳର କୌଣସି ସଂପର୍କ ନାହିଁ ବୋଲି କୁହାଯାଇଛି । କଂଗ୍ରେସ ସିଡିଏସ୍‌ ନିଯୁକ୍ତି ମାମଲାରେ ୟୁଟର୍ଣ୍ଣ ନେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି କଂଗ୍ରେସକୁ ଘେରିଛନ୍ତି। କଂଗ୍ରେସ ସିଡିଏସ୍‌କୁ ନେଇ ଦ୍ବନ୍ଦ୍ବରେ ରହିଛି ଏବଂ ବିଭ୍ରାନ୍ତି ସୃଷ୍ଟି କରୁଛି ବୋଲି ଜାଭଡେକର କହିଛନ୍ତି। ଅନ୍ୟପକ୍ଷରେ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆ ସିଡିଏସ୍‌କୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ବହୁତ ବଡ଼ ଏବଂ ସାହସିକ ପଦକ୍ଷେପ ବୋଲି କହିଛନ୍ତି। ବାୟୁସେନା ମୁଖ୍ୟ କହିଛନ୍ତି ଯେ ଏହି ନିଯୁକ୍ତି ଦ୍ବାରା ତିନି ସେନା ମଧ୍ୟରେ ଉପଯୁକ୍ତ ତାଳମେଳ ରହିପାରିବ ଏବଂ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେନାର ପଦକ୍ଷେପ ତ୍ବରାନ୍ବିତ ହୋଇପାରିବ।

ସମ୍ବନ୍ଧିତ ଖବର