ଜାଣନ୍ତୁ କ’ଣ ଥିଲା ବିପିନ ରାୱତଙ୍କ ଶେଷ ଇଚ୍ଛା? ଆଦିବାସୀ ପିଲାଙ୍କ ପାଇଁ ଏହା କରିଥାନ୍ତେ ଜେନେରାଲ

ଆଜି ଦେଶ ଜଣେ ବୀରପୁତ୍ର ବିପିନ ରାୱତଙ୍କୁ ହରାଇଛି | ଦେଶରେ ଯୁବପିଢ଼ିଙ୍କ ମଧ୍ୟରେ ସେନା ପ୍ରତି ଆଜି ଯେଉଁ ଆକର୍ଷଣ ବଢିଛି, ତାହାର ବି କାରଣ ଥିଲେ ସିଡିଏସ ଜେନେରାଲ ବିପିନ ରାୱତ । ସେ ହିଁ ସ୍ପଷ୍ଟ ଭାବରେ ଦେଶର ଯୁବକଙ୍କୁ କହିଥିଲେ, ଭାରତୀୟ ସେନା କେବଳ ଚାକିରି ନୁହଁ, ଦେଶ ପାଇଁ ସେବା କରିବାର ବଡ ମାଧ୍ୟମ । ଦେଶରେ ଆତଙ୍କବାଦକୁ ଦୃଢ ହସ୍ତରେ ଦମନ ପାଇଁ ସେ ସେନାକୁ ଦେଇଥିଲେ ଅଭୟବାଣୀ । କିନ୍ତୁ ଆଗାମୀ ପିଢି କିପରି ଏହି ବାଟରେ ନଯିବେ ସେଥିପାଇଁ ଶିଶୁଙ୍କୁ ସୁଧାରିବାକୁ ପରାମର୍ଶ ଦେଇଆସୁଥିଲେ  ।

ତେବେ ବିପିନଙ୍କର ଏକ ଇଚ୍ଛା ଥିଲା ଯାହାକୁ ସେ ୨୦୨୨ ଜାନୁୟାରୀରେ ସମ୍ପୂର୍ଣ୍ଣ କରିଥାନ୍ତେ | ଜେନେରାଲ ବିପିନ ରାୱତ ମଧ୍ୟପ୍ରଦେଶର ଜ୍ବାଇଁ ଥିଲେ। ମଧ୍ୟପ୍ରଦେଶର ଶାହଦୋଲରେ ତାଙ୍କର ବିବାହ ହୋଇଥିବାବେଳେ ସେ ଘୋଷଣା କରିଥିଲେ ଜାନୁୟାରୀରେ ଆସିବେ ଆଉ ତାଙ୍କ ଇଛା ପୂରଣ ପାଇଁ କାର୍ଯ୍ୟ କରିବେ | ସିଡିଏସ୍ ବିପିନ ରାୱତଙ୍କ ଶଳା ତଥା ପତ୍ନୀ ମଧୁଲିକା ରାୱତଙ୍କ ଭାଇ ଯଶବର୍ଦ୍ଧନ ସିଂ କହିଛନ୍ତି ଯେ ବିପିନ୍ ରାୱତ କହିଥିଲେ ଯେ ଜାନୁଆରୀ ୨୦୨୨ରେ ଶାହଦୋଲକୁ ଆସିବେ ଏବଂ ଏଠାରେ ସେ ଏକ ସୈନିକ ସ୍କୁଲ ଖୋଲିବେ ।

ଏହି ଅଂଚଳ ଏକ ଆଦିବାସୀ ବହୁଳ ଇଲାକା ହୋଇଥିବାରୁ କିଭଳି ଅଧିକରୁ ଅଧିକ ପିଲା ସୈନିକ ସ୍କୁଲରେ ପାଠ ପଢି ବୀର ଯବାନ ହୋଇପାରିବେ ସେଥିପାଇଁ ସ୍କୁଲ ଖୋଲିବାକୁ ତାଙ୍କର ମନ ଥିଲା। ଯଶବର୍ଦ୍ଧନ ସିଂ କହିଛନ୍ତି ଯେ ଯେତେବେଳେ ବି ତାଙ୍କୁ ଶ୍ୱଶୁରଘର ଆସିବାକୁ କୁହାଯାଉଥିଲା ସେ ସବୁବେଳେ କହୁଥିଲେ ‘ବର୍ଡ଼ର ପାଇଁ ମୋର ଜନ୍ମ ହୋଇଛି, ମୁଁ ବର୍ଡ଼ରରେ ହିଁ ରହିବି’ |

ସମ୍ବନ୍ଧିତ ଖବର