ନୂଆଦିଲ୍ଲୀ: ବୀରଭୂମ ହିଂସା ଘଟଣାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଦେଇଛି। ହିଂସା ମାମଲାରେ ସିବିଆଇ ରୁଜୁ କରିଥିବା ଏତଲାରେ ୨୧ ଜଣଙ୍କ ନାମ ରହିଛି। ମାର୍ଚ୍ଚ ୨୧ରେ ବୀରଭୂମର ବୋଗତୁଇ ଗ୍ରାମରେ ହୋଇଥିବା ହିଂସା ଘଟଣାରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ୍ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏତଲାରେ ସିବିଆଇ କହିଛି, ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ୁଛି ଯେ ଟିଏମ୍ସିର ପଞ୍ଚାୟତ ଉପମୁଖ୍ୟ ଭଦୁ ଶେଖଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେଇ ଏହି ହିଂସା ଉପୁଜିଥିଲା। ତାଙ୍କର ପ୍ରାୟ ୭୦-୮୦ ଜଣ ସମର୍ଥ ପୀଡ଼ିତମାନଙ୍କ ଘର ଭଙ୍ଗାରୁଜା କରିବା ପରେ ଘରେ ଥିବା ଲୋକଙ୍କୁ ହତ୍ୟା କରିବା ପାଇଁ ନିଆଁ ଲଗାଇ ଦେଇଥିଲେ। ଜିଅନ୍ତା ଜାଳିବା ପୂର୍ବରୁ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ସିବିଆଇର ୩୦ ସଦସ୍ୟ ବିଶିଷ୍ଟ ଟିମ୍ ବୀରଭୂମର ବୋଗତୁଇରେ ପହଞ୍ଚିଛନ୍ତି। ଗତକାଲି ରାତିରୁ ଏହି ଟିମ୍ ବୋଗତୁଇରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶନିବାର ସିବିଆଇର ଏକ ଟିମ୍ ରାମପୁରହାଟ ଥାନା ପହଞ୍ଚି ସେଠାରୁ କେସ୍ ଡାଏରି ଏବଂ ଅନ୍ୟ କାଗଜପତ୍ର ସଂଗ୍ରହ କରିଛନ୍ତି। ଅନ୍ୟଏକ ଟିମ୍ ଆଜି ବୋଗତୁଇରେ ପହଞ୍ଚିଛନ୍ତି। ସିବିଆଇ ଅଧିକାରୀମାନେ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ। ସେମାନେ ଏହି ଘଟଣା ପରଠାରୁ ଗାଁ ଛାଡ଼ି ବୀରଭୂମର ବିଭିନ୍ନ ଅଂଚଳକୁ ପଳାଇଛନ୍ତି।