ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ଜଣାପଡ଼ିବା ପରେ ‘ସଞ୍ଜୟ ଲେକ୍ ପାର୍କ’ରେ ପକ୍ଷୀ ହତ୍ୟା ଆରମ୍ଭ
ନୂଆଦିଲ୍ଲୀ: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ‘ଏଭିଅନ୍ ଫ୍ଲୁ’ ପଜଟିଭ୍ ହୋଇଥିବା କଥା ଜଣାପଡ଼ିବା ପରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ଦିଲ୍ଲୀ ସୁନିଶ୍ଚିତ କରିଛି। ତେଣୁ ସତର୍କତାମୂଳକ ପଦକ୍ଷେପସ୍ୱରୂପ, ସୋମବାର ସକାଳ ୮ଟାରୁ ସଞ୍ଜୟ ଲେକ୍ ପାର୍କରେ ଗଣପକ୍ଷୀ ସଂହାର ଆରମ୍ଭ ହୋଇଛି। ଏହାଛଡ଼ା, ଏହି ଲେକ୍କୁ ‘ଆଲର୍ଟ ଜୋନ୍’ ଭାବେ ଘୋଷଣା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୟୂର ବିହାର ଫେଜ୍ ୩ ରୁ ଚାରିଟି ଏବଂ ସଞ୍ଜୟ ଲେକ୍ରୁ ତିନିଟି ଏବଂ ଦ୍ୱାରକାରୁ ସଂଗୃହୀତ ଗୋଟିଏ ନମୁନାକୁ ମିଶାଇ ସମୁଦାୟ ୮ଟି ନମୁନା ‘ଏଭିଏନ୍ ଇନ୍ଫ୍ଲୁଏଞ୍ଜା’ ପଜିଟିଭ୍ ଆସିଥିବା କଥା ବିକାଶ ବିଭାଗର ପ୍ରାଣୀପାଳନ ୟୁନିଟ୍ର ଡାକ୍ତର ରାକେଶ ସିଂହ କହିଛନ୍ତି।
ଏହାଛଡ଼ା ଜଳନ୍ଧରରେ ଥିବା ପରୀକ୍ଷାଗାରକୁ ପଠା ଯାଇଥିବା ଆଉ କେତୋଟି ନମୁନାର ଫଳାଫଳ ଆସିବାକୁ ବାକିଅଛି ବୋଲି ଡାକ୍ତର ସିଂହ କହିଛନ୍ତି।
ପୂର୍ବରୁ ସରକାରୀ ଅଧିକାରୀମାନେ କହିଥିଲେ ଯେ, ତିନି ଚାରି ଦିନ ମଧ୍ୟରେ ମୟୂର ବିହାର ଫେଜ୍ ୩ରେ ଥିବା ସେଣ୍ଟ୍ରାଲ୍ ପାର୍କରେ ୫୦ଟି କାଉ ମରିଥିବା କଥା କହିଥିଲେ। ନିକଟ ଅତୀତରେ ସଞ୍ଜୟ ଲେକ୍ରେ ମଧ୍ୟ ୧୦ଟି ବତକ ମରିଥିଲେ।
ସେହିଭଳି, ତିନିଦିନ ତଳେ ପର୍ଭାନି ଜିଲ୍ଲାର ମୁରୁମ୍ବା ଗ୍ରାମରେ ୮୦୦ କୁକୁଡ଼ା ମରିବା ପରେ ମହାରାଷ୍ଟ୍ରରେ ମଧ୍ୟ ‘ବାର୍ଡ ଫ୍ଲୁ’ କଥା ସରକାର ସୁନିଶ୍ଚିତ କରି କହିଛନ୍ତି। ମୃତ କୁକୁଡ଼ାମାନଙ୍କର ନମୁନା ପରୀକ୍ଷା ନିମନ୍ତେ ‘ନ୍ୟାସ୍ନାଲ୍ ଲାବ୍ରୋଟରି’କୁ ପଠାଯାଇଥିଲା। ଏହାକୁ ମିଶାଇ ଦେଶରେ ସମୁଦାୟ ୯ଟି ରାଜ୍ୟରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା କଥା ଜଣାପଡ଼ିଛି।