କରୋନା ପରେ ବାର୍ଡ଼ ଫ୍ଲୁ ଚିନ୍ତା: ୧୫ ଦିନ ପାଇଁ ଚିକେନ ଓ ଅଣ୍ଡା ଦୋକାନ ବନ୍ଦ ରଖିବାକୁ ଦିଆଗଲା ନିର୍ଦ୍ଦେଶ

ଭୋପାଳ: କରୋନା ଭାଇରସର ଦ୍ଵିତୀୟ ଷ୍ଟ୍ରେନ ଆରମ୍ଭ ହୋଇଯାଇଥିବା ବେଳେ ମଧ୍ୟପ୍ରଦେଶରେ ଏବେ ବାର୍ଡ଼ ଫ୍ଲୁ ସମସ୍ୟା ଦେଖାଦେଇଛି | ଆଉ ବାର୍ଡ଼ ଫ୍ଲୁକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟପ୍ରଦେଶର ମାଣ୍ଡସୌର ପ୍ରଶାସନ ଚିକେନ୍ ଏବଂ ଅଣ୍ଡା ବିକ୍ରି କରୁଥିବା ଦୋକାନଗୁଡ଼ିକୁ ୧୫ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ରାଜ୍ୟରେ ବାର୍ଡ଼ ଫ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପମୂଳକ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି |

କାଉ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ବାର୍ଡ଼ ଫ୍ଲୁ ଆଲର୍ଟ ଜାରି କରିବା ସହ କୁକୁଡ଼ା ଏବଂ ଅଣ୍ଡା ଦୋକାନକୁ ୧୫ ଦିନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଇନ୍ଦୋରରେ ବାର୍ଡ଼ ଫ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ପକ୍ଷୀ ମୃତ୍ୟୁ ହୋଇଥିବା ଜଣାପଡିଛି ।

ମଧ୍ୟପ୍ରଦେଶ ପଶୁପାଳନ ମନ୍ତ୍ରୀ ପ୍ରେମ ସିଂ ପଟେଲ କହିଛନ୍ତି ଯେ ବାର୍ଡ଼ ଫ୍ଲୁକୁ ନଜରରେ ରଖି ଇନ୍ଦୋରରେ ଏକ କଣ୍ଟ୍ରୋଲ ରୁମ କରାଯାଇ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଛି | ସେହିପରି ପଶୁପାଳନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଡିସେମ୍ବର ୨୩, ୨୦୨୦ ରୁ ଜାନୁୟାରୀ ୩, ୨୦୨୧ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଇନ୍ଦୋରରେ ୧୪୨ଟି କାଉ, ମାଣ୍ଡସୌରରେ ୧୦୦ଟି, ଅଗର-ମାଲୱାରେ ୧୧୨ଟି, ଖାରଗୋନରେ ୧୩ ଏବଂ ସେହୋର ଜିଲ୍ଲାରେ ନଅଟି କାଉଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର