ନୂଆଦିଲ୍ଲୀ: ଗତ ୧୦ ଦିନ ଭିତରେ ଭାରତରେ ଲକ୍ଷ ଲକ୍ଷ ସଂଖ୍ୟାରେ ପକ୍ଷୀଶବ ଦେଖିବାକୁ ମିଳିଛି। ଅତି କମ୍ରେ ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, କେରଳ ଓ ରାଜସ୍ଥାନ ପରି ଚାରିଟି ରାଜ୍ୟରେ ବାର୍ଡଫ୍ଲୁ ସଂକ୍ରମଣ ବ୍ୟାପିଥିବା ସ୍ପଷ୍ଟ ହୋଇଥିବା ବେଳେ ଏହାକୁ ହ୍ରାସ କରିବା ଦିଗରେ ସରକାର ତତ୍ପର ହୋଇପଡ଼ିଛନ୍ତି। ଏହି ସମସ୍ତ ରାଜ୍ୟରେ ବାର୍ଡଫ୍ଲୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ତଦାରଖ କମିଟି ଗଠନ ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେବା ସହ ସ୍ବତନ୍ତ୍ର ଟିମ୍ ପଠାଇଛନ୍ତି। ତାମିଲନାଡୁ ଓ କର୍ଣ୍ଣାଟକ ଉପରେ ଏବେ ସତର୍କ ଦୃଷ୍ଟି ରଖାଯାଇଛି। ସେହିଭଳି ଏହି ବାର୍ଡ ଫ୍ଲୁ ଆତଙ୍କ ଭିତରେ ଉତ୍ତର ଭାରତରେ ହିମାଚଳପ୍ରଦେଶକୁ ଲାଗି ରହିଥିବା ହରିଆଣା ଓ ଜାମ୍ମୁକାଶ୍ମୀରରେ ମଧ୍ୟ ପକ୍ଷୀମାନଙ୍କର ନମୁନା ପରୀକ୍ଷା କରାଯାଉଛି। ପ୍ରଭାବିତ ହୋଇଥିବା ଏହି ଚାରି ରାଜ୍ୟ ପାଇଁ ୧୨ଟି ମୁଖ୍ୟ ସହାୟକ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ପ୍ରତି କେନ୍ଦ୍ର ତରଫରୁ ବାର୍ଡଫ୍ଳୁ ସଂକ୍ରମଣ ସଂକ୍ରାନ୍ତ ଯାବତୀୟ ପରାମର୍ଶ ଓ ସତର୍କତା ଜାରି କରାଯାଉଛି। ସେହିପରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ଦିଲ୍ଲୀରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।
ଅପରପକ୍ଷେ, ହରିଆଣାର ପଞ୍ଚକୁଳାରେ କେବଳ ଗତ ୧୦ ଦିନ ଭିତରେ ୪ ଲକ୍ଷରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେଠାରେ ବାର୍ଡଫ୍ଳୁ ଭୂତାଣୁ (ଏଚ୍୫ଏନ୍୮) ଏଯାଏ ଚିହ୍ନଟ ହୋଇନାହିଁ। ତେବେ ଏଥିପାଇଁ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି। ସରକାର ଦେଶର ବିଭିନ୍ନ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟଗୁଡ଼ିକରେ ସାବଧାନତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ୨୦୦୬ ମସିହାରେ ବାର୍ଡଫ୍ଳୁ ସଂକ୍ରମଣ ଜଣାପଡ଼ିଥିଲା। ଏହା ସାଧାରଣତଃ ବହିରାଗତ ପକ୍ଷୀମାନଙ୍କ ଦ୍ବାରା ଦେଶକୁ ପରିବାହିତ ହେବା ସହ ଶୀତଦିନେ ଅର୍ଥାତ୍ ସେପ୍ଟେମ୍ବର-ଅକ୍ଟୋବରରୁ ଫେବ୍ରୁଆରି-ମାର୍ଚ୍ଚ ଯାଏ ଲାଗି ରହିଥାଏ। ଭାରତରେ ଏବେ ଦେଖାଦେଇଥିବା ବାର୍ଡଫ୍ଲୁ ୟୁରୋପ୍ରୁ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/chicken-1.jpg)