ମୌସୁମୀ ଅଧିବେଶନ ସ୍ଥଗିତ ହେବାର ଯୋଜନା ନାହିଁ: ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମହାମାରୀ ଯୋଗୁଁ ମୌସୁମୀ ଅଧିବେଶନ ସ୍ଥଗିତ ହେବାର କୌଣସି ଯୋଜନା ନାହିଁ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ମୌସୁମୀ ଅଧିବେଶନ ଜୁନ୍ ଶେଷ ସପ୍ତାହରେ କିମ୍ବା ଜୁଲାଇର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥାଏ | ଗତ ବର୍ଷ ମୌସୁମୀ ଅଧିବେଶନ ଜୁନ୍ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୭ ପର୍ଯ୍ୟନ୍ତ ଚାଲିଥିଲା। ବିର୍ଲା ଏକ ସାକ୍ଷାତକାରରେ କହିଛନ୍ତି ଯେ ‘କରୋନା ସତ୍ତ୍ୱେ ଆଶା ଅଛି ଯେ ମୌସୁମୀ ଅଧିବେଶନ ଠିକ୍ ସମୟରେ ହେବ। ତେବେ ସେହି ସମୟର ସ୍ଥିତି ଉପରେ ଏହା ନିର୍ଭର କରିବ। ‘ ତେବେ ତାଙ୍କୁ ପଚରାଯାଇଥିଲା ଯେ ଯଦି ଜୁନ-ଜୁଲାଇ ବେଳେ ଶାରୀରିକ ଦୂରତାର ନିୟମକୁ କଡାକଡି ପାଳନ କରାଯାଏ, ତେବେ ମୌସୁମୀ ଅଧିବେଶନ ଚଳାଇବା ସମ୍ଭବ କି ? ଏହାର ଉତ୍ତରରେ ବିର୍ଲା କହିଛନ୍ତି ଯେ ସ୍ଥିତିକୁ ଦେଖି ଅନୁରୂପ ରାସ୍ତା ବାହାର କରାଯିବ |

ସେ କହିଛନ୍ତି ଯେ ସବୁ ଦଳର ସାଂସଦମାନେ ଲୋକଙ୍କୁ ସବୁ ପ୍ରକାରରେ ସାହାଯ୍ୟ କରୁଛନ୍ତି। ତାଙ୍କୁ ପ୍ରଶଂସା କରାଯିବା ଉଚିତ୍ ଏବଂ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ଦେଶର କେନ୍ଦ୍ରୀୟ ନେତୃତ୍ୱକୁ ପ୍ରଶଂସା କରି ବିର୍ଲା କହିଛନ୍ତି,“ ଆମ ଦେଶର ନେତୃତ୍ୱଙ୍କୁ ଜନସାଧାରଣଙ୍କଠାରୁ ସମର୍ଥନ ମିଳିଛି | ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପରିସ୍ଥିତିକୁ ବହୁତ ଭଲ ଭାବରେ ପରିଚାଳନା କରିଛନ୍ତି।

ଏଠାରେ ସୂଚନା ଥାଉ କି ବିଶେଷଜ୍ଞମାନେ ମତ ଦେଇଥିଲେ ଯେ କରୋନା ଭୂତାଣୁ ସଂକ୍ରମଣ ହେତୁ ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ହୋଇପାରେ | କାରଣ ସଂସଦର ଦୁଇଟି ଅଧିବେଶନ ମଧ୍ୟରେ ସର୍ବାଧିକ ୬ ମାସର ବ୍ୟବଧାନ ଅନୁମତି ଦିଆଯାଇଛି। କରୋନା ମହାମାରୀ ହେତୁ ବଜେଟ୍ ଅଧିବେଶନକୁ ମଧ୍ୟ ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ ୨୩ ମାର୍ଚ୍ଚରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର