‘ବିର୍ସା ମୁଣ୍ଡା ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିର ବି ବାହକ ଥିଲେ’: ମୋଦୀ

ଜନଜାତି ଗୌରବ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଭୁବନେଶ୍ବର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ଜନଜାତି ଗୌରବ ଦିବସର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଏବଂ କୋଟି କୋଟି ଜନଜାତୀୟ ମହାନାୟକଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶ ‘ପଞ୍ଚପ୍ରଣ’ର ଶକ୍ତିକୁ ନେଇ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ମହାନାୟକ ନ ଥିଲେ ବରଂ ଆମ ଆଧ୍ୟାତ୍ମିକତା ତଥା ସାଂସ୍କୃତିକ ଊର୍ଜାର ବି ବାହକ ଥିଲେ।

ପ୍ରଧାନମନ୍ତ୍ରୀ ଆମ ସ୍ବାଧୀନତା ସଂଗ୍ରାମରେ ଜନଜାତି ସମୁଦାୟର ଯୋଗଦାନକୁ ମନେ ପକାଇଥିଲେ ଏବଂ ପ୍ରମୁଖ ଆଦିବାସୀ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମର ସ୍ମୃତିଚାରଣ କରିଥିଲେ। ସେ ତିଳକ ମାଞ୍ଝିଙ୍କ ନେତୃତ୍ବରେ ଲଢ଼ା ଯାଇଥିବା ଦାମିନ ସଂଗ୍ରାମ, ବୁଦ୍ଧୁ ଭଗତଙ୍କ ଲାର୍କା ଆନ୍ଦୋଳନ, ସିଦ୍ଧୁ-କାହ୍ନୁ କ୍ରାନ୍ତି, ତାନା ଭଗତ ଆନ୍ଦୋଳନ, ଭେଗଦା ଭିଲ ଆନ୍ଦୋଳନ, ନାଏକଦା ଆନ୍ଦୋଳନ, ସନ୍ତ ଜୋରିୟା ପରମେଶ୍ବର ଏବଂ ରୂପ ସିଂ ନାୟକ, ଲିମଦି ଦାହୁଦ ଯୁଦ୍ଧ, ମାନଗଡ଼ର ଗୋବିନ୍ଦ ଗୁରୁଜୀ ଏବଂ ଆଲୁରି ସିତାରାମ ରାଜୁଙ୍କ ଅଧୀନରେ ରାମ୍ପା ଆନ୍ଦୋଳନର ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରହାଳୟ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଜନ ଧନ, ଗୋବର ଧନ, ବନ ଧନ, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ବଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାତୃତ୍ବ ବନ୍ଦନା ଯୋଜନା, ଗ୍ରାମୀଣ ସଡ଼କ ଯୋଜନା, ମୋବାଇଲ ସଂଯୋଗ, ଏକଲବ୍ୟ ବିଦ୍ୟାଳୟ, ୯୦ ପ୍ରତିଶତ ଜଙ୍ଗଲଜାତ ଉତ୍ପାଦ ପାଇଁ ଏମ୍‌ଏସ୍‌ପି, ଜନଜାତି ଗବେଷଣା ପ୍ରତିଷ୍ଠାନ, ମାଗଣା କରୋନା ଟିକା ଏବଂ ମିଶନ ଇନ୍ଦ୍ରଧନୁଷ ଭଳି ଯୋଜନା ଆଦିବାସୀ ସମୁଦାୟକୁ ବିଶେଷ ଭାବେ ଲାଭାନ୍ବିତ କରିଛି।

‘Birsa Munda was the bearer of our spiritual and cultural energy’: Modi

ସମ୍ବନ୍ଧିତ ଖବର