ଜନ୍ମହାର କମୁଥିବାରୁ ଚୀନ୍‌ରେ ଉଦ୍‌ବେଗ, ଭାରତରେ ଓଲଟା ସ୍ଥିତି

ବେଜିଂ/ ନୂଆଦିଲ୍ଲୀ: ଚୀନ ଜନସଂଖ୍ୟା ଦିନକୁ ଦିନ କମି ଚାଲିଛି। ଏହାର ଜନସଂଖ୍ୟାର ଏକ ବଡ଼ ଭାଗ ମଧ୍ୟ ବୟସ୍କ ହୋଇଗଲେଣି । ଏହାକୁ ନେଇ ଚୀନ୍‌ର କମ୍ୟୁନିଷ୍ଟ ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରହିଥିବା ଗୋଟିଏ ସନ୍ତାନ ନୀତିକୁ ହଟାଇ ଦେଇଥିଲେ ମଧ୍ୟ ସ୍ଥିତି ସୁଧୁରିବାକୁ ଅନେକ ବର୍ଷ ଲାଗିଯିବ ବୋଲି କୁହାଯାଉଛି। ୧୯୭୯ରେ ଚୀନରେ ଏକ ସନ୍ତାନ ନୀତି ଲାଗୁ ହୋଇଥିଲା, ୨୦୧୬ରେ ତାହାକୁ କୋହଳ କରାଯାଇ ଦୁଇ ସନ୍ତାନ ନୀତି ଗ୍ରହଣ କରାଗଲା। ଏବେ ଏହାକୁ ସଂପୂର୍ଣ୍ଣ ଉଠାଇଦେବାକୁ ସରକାର ଘୋଷଣା କରିଛନ୍ତି। ୨୦୫୦ ସୁଦ୍ଧା ଚୀନ୍‌ର ଜନସଂଖ୍ୟା ଭାରତର ପ୍ରାୟ ୬୫ ପ୍ରତିଶତ ହୋଇଯାଇଥିବ ବୋଲି ଚୀନ୍‌ର ବିଶେଷଜ୍ଞମାନେ କହିଛନ୍ତି । ଚୀନ ଯଦି ନିଜର ବିବାଦୀୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଆହୁରି କୋହଳ ନ କରେ, ତେବେ ୨୦୫୦ ବେଳକୁ ଚୀନ୍‌ରେ ବୟସ୍କ ଲୋକଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଯିବ। ଚୀନ କିଛି ଦଶନ୍ଧି ପୂର୍ବେ ଗ୍ରହଣ କରିଥିବା ଏକ ସନ୍ତାନ ନୀତି ଫଳରେ ଏବେ ଜଟିଳ ସମସ୍ୟା ଉପୁଜିଛି। ଏହାକୁ ହଟାଯିବା ସତ୍ତ୍ବେ ଜନ୍ମହାରରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ହେଉନାହିଁ।

କିନ୍ତୁ ଭାରତ ଜନସଂଖ୍ୟା କ୍ଷେତ୍ରରେ ଏଭଳି କୌଣସି କୋହଳ ନୀତି ଅବଲମ୍ବନ କରିବା ଆବଶ୍ୟକ ନାହିଁ ବୋଲି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଅଧ୍ୟୟନ କରୁଥିବା ଗବେଷକମାନେ କହିଛନ୍ତି। ବରଂ ଭାରତ ଚୀନ୍‌ର ପୂର୍ବ କଠୋର ନୀତିକୁ ଅନୁସରଣ କରି ଏକ ସନ୍ତାନ ନୀତି ଗ୍ରହଣ କରିବା ପାଇଁ ଆଇନ ଲାଗୁ କରିବାକୁ ଗୁରୁତ୍ବାରୋପ କରାଯାଇଛି। ଭାରତର ଜନସଂଖ୍ୟା ୨୦୨୪ରେ ଚୀନ୍‌କୁ ଅତିକ୍ରମ କରିଯିବ। ୨୦୩୦ରେ ଭାରତର ଜନସଂଖ୍ୟା ୧୫୦ କୋଟି ଏବଂ ୨୦୫୯ରେ ୧୬୬ କୋଟି ଛୁଇଁବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର