ଜନ୍ମର ୨୮ ଦିନ ମଧ୍ୟରେ ଆଖି ବୁଜୁଛନ୍ତି ୬ ଲକ୍ଷ ଶିଶୁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସଂଗଠନ ୟୁନିସେଫ୍‌ର ରିପୋର୍ଟ ମୁତାବକ ପ୍ରତିବର୍ଷ ଦେଶରେ ଜନ୍ମ ହେବାର ୨୮ ଦିନ ମଧ୍ୟରେ ୬ ଲକ୍ଷ ଶିଶୁ ଅକାଳ ମୃତ୍ୟୁର ଶିକାର ହେଉଛନ୍ତି। ଏହି ଶିଶୁ ମୃତ୍ୟୁର କାରଣ ଗମ୍ଭୀର ନଥିବା ବେଳେ ଔଷଧ ଓ ସାଧାରଣ ଚିକିତ୍ସା ଦ୍ୱାରା ଏହି ମୃତ୍ୟୁସଂଖ୍ୟରେ ଯଥେଷ୍ଟ ହ୍ରାସ କରାଯାଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୟୁନିସେଫ ପକ୍ଷରୁ କରାଯାଇଥିବା ସର୍ଭେ ‘ପ୍ରତି ଶିଶୁ ବଞ୍ଚିବ’ ଶୀର୍ଷକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଶିଶୁ ମୃତ୍ୟୁହାର ଦେଶରେ ଏତେ ବୃଦ୍ଧି ପାଇଛି ଯେ, ସାରା ବିଶ୍ୱରେ ମାସକ ମଧ୍ୟରେ ହେଉଥିବା ଶିଶୁମୃତ୍ୟୁ ତାଲିକାରେ ଭାରତର ସ୍ଥାନ ପ୍ରଥମ ୫୦ ଭିତରେ ରହିଛି। କିନ୍ତୁ ୫ବର୍ଷ ମଧରେ ହେଉଥିବା ଶିଶୁ ମୃତ୍ୟୁହାର ପୂର୍ବ ବର୍ଷ ଅପେକ୍ଷା ହ୍ରାସ ପାଇଥିବା ଜଣାପଡ଼ିଛି। ୧୮୪ଟି ଦେଶକୁ ନେଇ ୟୁନିସେଫ ପକ୍ଷରୁ କରାଯାଇଥିବା ଏହି ସର୍ଭେ ରିପୋର୍ଟ ମୁତାବକ, ଦେଶରେ ପ୍ରତି ୧ହଜାର ନବଜାତକରେ ୨୫.୪ପ୍ରତିଶତ ଶିଶୁଙ୍କ ମୃତ୍ୟୁ ହେଉଛି। ୨୦୧୬ରେ ଶିଶୁ ମୃତ୍ୟୁହାରରେ ଭାରତ ବିଶ୍ୱରେ ୨୮ତମ ସ୍ଥାନରେ ରହିଥିଲା। ୨୦୧୭ରେ ଭାରତ ୩୧ତମ ସ୍ଥାନକୁ ଆସିଥିଲା। ଜନ୍ମର ପ୍ରଥମ ୨୮ ଦିନ ମଧ୍ୟରେ ପାରିପାର୍ଶ୍ୱିକ ପରିବର୍ତ୍ତନ କାରଣରୁ ଶିଶୁର ମୃତ୍ୟୁ ହେବା ଅଧିକ ଆଶଙ୍କା ରହିଥାଏ। ସାରା ବିଶ୍ୱରେ ପ୍ରତି ୧ହଜାର ନବଜାତକ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ହେଉଛି। ୨୦୧୬ ମସିହାରେ ସାରା ବିଶ୍ୱର ୨୬ ଲକ୍ଷ ଶିଶୁ ଜନ୍ମହେବାର ମାସକ ମଧ୍ୟରେ ମୃତ୍ୟୁର ଶିକାର ହୋଇଥିବା ଜଣାପଡ଼ିଛି ।

ସମୟ ପୂର୍ବରୁ ଜନ୍ମ, ପ୍ରସବ ସମୟର ବିଭିନ୍ନ ଅସୁବିଧା ସାଙ୍ଗକୁ ନିମୋନିଆ ପରି ରୋଗ ଏହି ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି। ଉଭୟ ମା’ ଓ ଶିଶୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯଥା ସ୍ୱଚ୍ଛ ପାଣି ଓ ଉତ୍ତମ ଚିକିତ୍ସା, କୁଶଳୀ ସେବିକା, ଜନ୍ମର ପ୍ରଥମ ଘଣ୍ଟାରେ ଶିଶୁକୁ ସ୍ତନ୍ୟପାନ ଓ ଉଭୟ ମା’ଓ ଶିଶୁଙ୍କୁ ନିକଟତର କରାଇବା ଆଦି ବ୍ୟବସ୍ଥା କରାଗଲେ ଏହି ଶିଶୁ ମୃତ୍ୟୁହାର କମାଯାଇ ପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଜାତିସଂଘର ରିପୋର୍ଟ ମୁତାବକ, ଭାରତ ନିରନ୍ତର ବିକାଶ ଲକ୍ଷ୍ୟ ଧାରାରେ ୨୦୩୦ ମସିହା ସୁଦ୍ଧା ଏହି ନବଜାତକ ଶିଶୁ ମୃତ୍ୟୁହାରକୁ ବନ୍ଦ କରିବା ପାଇଁ ଯଦିଓ ସେଭଳି କୌଣସି ବ୍ୟବସ୍ଥା କରିନାହିଁ ତଥାପି ୫ବର୍ଷରୁ ତଳକୁ ଶିଶୁ ମୃତ୍ୟୁହାର କମାଇବା ପାଇଁ ପ୍ରୟାସ ଜାରି ରଖିଛି। ୧୯୯୦ରୁ ୨୦୧୫ ମସିହା ମଧ୍ୟରେ ସାରା ବିଶ୍ୱରେ ୫ବର୍ଷରୁ ତଳକୁ ଶିଶୁ ମୃତ୍ୟୁହାର କମାଇବାରେ ୫୫ ପ୍ରତିଶତ ସଫଳତା ମିଳିଥିବା ବେଳେ ଭାରତ ଏକାକୀ ୬୬ ପ୍ରତିଶତ ସଫଳ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର