କୋଭିଡ୍-୧୯ କଟକଣା ଉଲ୍ଲଂଘନ କରି ଜନ୍ମଦିନ ପାଳନ ଘଟଣା : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆଚରଣ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ଅକ୍ଟୋବର ୮ ତାରିଖରେ କୋଭିଡ୍-୧୯ କଟକଣା ଉଲ୍ଲଂଘନ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନ୍ମଦିନ ପାଳନ କରିଥିବା ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଛି। ସାଂସଦଙ୍କର ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ ନେଇ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ବ୍ୟାପାର ରା‌ଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ଏକ ପତ୍ର ଲେଖିଛନ୍ତି। ଏହି ମାମଲା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବାକୁ ସେ ପତ୍ର ଜରିଆରେ  ଅନୁରୋଧ ମଧ୍ୟ କରିଛନ୍ତି।

ପତ୍ରରେ ଶ୍ରୀ ମିଶ୍ର ଲେଖିଛନ୍ତି ଯେ, ମାସ୍କ୍‌ ପିନ୍ଧି ନ ଥିବା ଓ ସାମାଜିକ ଦୂରତ୍ବ ପାଳନ କରୁ ନ ଥିବା ଶହ ଶହ ମହିଳାଙ୍କ ଗହଣରେ ନାଚଗୀତ ସହ ସାଂସଦ ଜନ୍ମଦିନ ପାଳନ କରୁଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି। କୋଭିଡ୍-୧୯ ଗାଇଡ୍‌ଲାଇନ୍ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ସାଂସଦ ତାହାକୁ ବେଖାତିର କରିଛନ୍ତି।

ଶ୍ରୀ ମିଶ୍ର ଆହୁରି ଲେଖିଛନ୍ତି, ଏହା ପ୍ରଥମ ଘଟଣା ହୋଇଥିଲେ, ମୁଁ ଆପଣଙ୍କ ଦୃଷ୍ଟିକୁ ଆଣି ନ ଥାଆନ୍ତି। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିବାରେ ଏହିଭଳି ଅନ୍ୟୂନ ତିନୋଟି ଘଟଣାରେ ସାଂସଦଙ୍କୁ ବାରମ୍ବାର ପରାମର୍ଶ, ଚେତାବନୀ ଦିଆଯିବା ସହ ମାମଲା କରାଯିବା ପରେ ମଧ୍ୟ ତାଙ୍କ ଆଚରଣରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ।  ଜନଜୀବନ ରକ୍ଷା ନିମନ୍ତେ ଭୁ‌ବନେଶ୍ବର ସହର ଗୁରୁତ୍ବପୂର୍ଣ୍ଣ ସଂଗ୍ରାମ ଚଳାଇବା ସହ କୋଭିଡ୍ ଯୋଦ୍ଧାମ‌ାନେ ଦିନରାତି କାର୍ଯ୍ୟ କରୁଛନ୍ତି। ଏଭଳି ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ସାଂସଦ ନିଜେ, ତାଙ୍କର ପ୍ରିୟପରିଜନ ଏବଂ ଜନସାଧରଣ ବିପଦରେ ପଡ଼ିବାର ଆଶଙ୍କା ଅଛି ବୋଲି ଉଲ୍ଲେଖ କରିଛନ୍ତି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର।

ଶ୍ରୀମତୀ ଷଡ଼ଙ୍ଗୀ ଜଣେ ଲୋକପ୍ରତିନିଧି ତଥା ବିଜେପିର ଜାତୀୟ ମୁଖପାତ୍ର ହୋଇଥିବାରୁ ଜନସାଧାରଣ ତାଙ୍କ ଦ୍ବାରା ପ୍ରଭାବିତ ହେବା ସ୍ବାଭାବିକ। ତାଙ୍କର ଏତାଦୃଶ କାର୍ଯ୍ୟ ସର୍ବସାଧାରଣଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିବାକୁ ଉତ୍ସାହ ଦେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର