ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ମହାନ୍ ବିଦ୍ବାନ ଓ ରାଜନେତା ଥିଲେ ନରସିଂହ ରାଓ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପି. ଭି. ନରସିଂହରାଓଙ୍କ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ଜଣେ ମହାନ ବିଦ୍ବାନ ଓ ପ୍ରବୀଣ ରାଜନେତା ବୋଲି ଅଭିହିତ କରିଛନ୍ତି। କିଶୋରାବସ୍ଥାରୁ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ନରସିଂହରାଓ ଅନ୍ୟାୟ ବିରୋଧରେ ସ୍ବର ଉେତ୍ତାଳନ କରିବା ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୋଦୀ ନିଜର ମାସିକ ବେତାର ପ୍ରସାରଣ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଉଲ୍ଲେଖ କରିିଛନ୍ତି। ଇତିହାସକୁ ଠିକ୍‌ରେ ହୃଦୟଙ୍ଗମ କରିପାରିଥିବା ସ୍ବର୍ଗତ ରାଓ ଏକ ସାଧାରଣ ପରିବାରରେ ଜନ୍ମିତ ହୋଇ ସୁଦ୍ଧା ଶିକ୍ଷା ଉପରେ ତାଙ୍କର ଗୁରୁତ୍ବ, ଜାଣିବାର ଆଗ୍ରହ ଏବଂ ସର୍ବୋପରି ତାଙ୍କ ନେତୃତ୍ବ ନେବାର ଦକ୍ଷତା ହିଁ ତାଙ୍କୁ ଦେଶର ଶୀର୍ଷ ରାଜନୈତିକ ଆସନରେ ପହଞ୍ଚାଇପାରିଥିଲା। ତାଙ୍କର ଏହି ଜନ୍ମ ଶତବାର୍ଷିକୀ ବର୍ଷରେ ପ୍ରତ୍ୟେକ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ମୋଦୀ ଦେଶବାସୀଙ୍କୁ ନିବେଦନ କରିବା ସହ ପୁଣି ଥରେ ଦେଶର ଏହି ବିରଳ ମନୀଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ବୋଲି କହିଥିଲେ।

ସୂଚନା ଥାଉ କି, ମୋଦୀ ଏବଂ ତାଙ୍କ ଦଳ ବିଜେପି ଆଗରୁ ଅନେକ ଥର ଏମିତି ସ୍ବର୍ଗତ ନରସିଂହରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆସିବା ଘଟଣା କଂଗ୍ରେସର ଗାତ୍ରଦାହ କରିଛି। ଏପରିକି ସ୍ବର୍ଗାରୋହଣ ପରେ ଏହି ବିଦ୍ବାନ ନେତାଙ୍କୁ ତାଙ୍କ କଂଗ୍ରେସ ଦଳ ଉଚିତ ସମ୍ମାନ ଦେଇନାହିଁ ବୋଲି ମଧ୍ୟ ବିଜେପି ଏକ ପ୍ରସଙ୍ଗ କରି ଦେଶବାସୀଙ୍କ ଅବଗତି ନିମନ୍ତେ ବାରମ୍ବାର ଉଠାଇ ଆସିଛି। ତେବେ ଏହାଦ୍ବାରା ବିଜେପି ଦେଶରେ ରାଜନୀତିକ ବିଭାଜନ ସୃଷ୍ଟି କରିବାକୁ ଚାହୁଛି ବୋଲି କଂଗ୍ରେସ ଅଭିଯୋଗ କରି ଆସିଛି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ପୂର୍ବ ପ୍ରଧାନମନ୍ତ୍ରୀ ରାଓଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଏହି ଶତାବାର୍ଷିକୀ ଉତ୍ସବକୁ ରାଜ୍ୟରେ ୧ବର୍ଷ ବ୍ୟାପୀ ପାଳନ କରିବେ।

ସମ୍ବନ୍ଧିତ ଖବର