ଭୋପାଳ/ରାୟପୁର: ମଧ୍ୟପ୍ରଦେଶର ବିଦାୟୀ ଶିବରାଜ ସିଂହ ଚୌହାନ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ଡକ୍ଟର ମୋହନ ଯାଦବ ଆଜି ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ରାଜ୍ୟର ଊନବିଂଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଡ. ଯାଦବଙ୍କୁ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇବା ପରେ ବିଦାୟୀ ସରକାରରେ ଅର୍ଥମନ୍ତ୍ରୀ ଥିବା ଜଗଦୀଶ ଦେଓଡ଼ା ଏବଂ ଜନସମ୍ପର୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ଶୁକ୍ଳାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ୧୧ଟି ବିଜେପି/ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।

Advertisment

ନୂତନ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଦ୍ବାରା ଦେଶରେ ବିଜେପିର ସବୁଠାରୁ ଲମ୍ବା ସମୟ ଧରି କାର୍ଯ୍ୟ କରିଥିବା ବିଦାୟୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଯୁଗର ଅନ୍ତ ଘଟିଛି, ଯିଏ କି କେନ୍ଦ୍ରଭାରତୀୟ ରାଜ୍ୟରେ ୧୬ ବର୍ଷ ୫ ମାସରୁ ଅଧିକ ସମୟ ଧରି ୪ଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ନିର୍ବାହ କରିଥିଲେ। ଫଳାଫଳ ଘୋଷଣା ହେବାର ୮ ଦିନ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନ ଥିବା ଡକ୍ଟର ମୋହନ ଯାଦବଙ୍କୁ ଡିସେମ୍ବର ୧୧ରେ ଭୋପାଳରେ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା।

ସେହିଭଳି ଛତିଶଗଡ଼ରେ ବିଜେପି ବିଧାୟକ ଦଳ ନେତା ତଥା କୁନକୁରି ବିଧାୟକ ବିଷ୍ଣୁ ଦେବ ସାଏ ଆଜି ରାୟପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ବିଜେପି ମୁଖ୍ୟ ଅରୁଣ ସାଓ ଏବଂ ବିଧାୟକ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶ୍ରୀ ସାଏ ଓ ତାଙ୍କ ଦୁଇ ଡେପୁଟିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ନୀତିନ ଗଡ଼କରୀ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ। ରାଜ୍ୟର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସାଏ (୫୯) ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସାଓ (୫୪) ପ୍ରଭାବଶାଳୀ ସାହୁ (ତେଲି) ଓବିସି ସମ୍ପ୍ରଦାୟର ଏବଂ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶର୍ମା (୫୦) ବ୍ରାହ୍ମଣ। ଏହା ପୂର୍ବରୁ ସାଏ ରାୟପୁରର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସ୍ୱାଧୀନତା ସଂଗ୍ରାମୀ ସହିଦ ବୀର ନାରାୟଣ ସିଂହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।